ମା’ ତୁମେ ବହୁତ ମନେ ପଡୁଛ…

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ୨୪ ଫେବୃୟାରୀ ଅର୍ଥାତ୍‌ ସୋମବାର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ। ଆଜିର ଦିନରେ ଶ୍ରୀଦେବୀଙ୍କ ଅଚାନକ ମୃତ୍ୟୁ ସିନେପ୍ରେମୀଙ୍କୁ ହତବାକ କରିଦେଇଥିଲା। ୨୦୧୮ ଫେବୃୟାରୀ ୨୪ରେ ଦୁବାଇରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ସ୍ବାମୀ ବୋନିକ କପୁର, ଝିଅ ଜାହ୍ନବୀ ଏବଂ ଖୁସି ବହୁତ ମର୍ମାହତ ହୋଇଥିଲେ। ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀରେ ମା’ଙ୍କ ସହ ଥିବା ପିଲାଦିନର ଏକ ଫଟୋ ଶେୟାର କରି ଏଥିରେ କ୍ୟାପଶନ୍‌ ଲେଖିଛନ୍ତି, ମା’ ତୁମେ ବହୁତ ମନେ ପଡୁଛ। ଏହି ଫଟୋରେ ଜାହ୍ନବୀ ଏକ ସୋଫା ଉପରେ ଶୋଇ ମା’ଙ୍କୁ ଜୋର୍‌ରେ ଜାବୁଡ଼ି ଧରିଛନ୍ତି। କଳାଧଳା ଫଟୋଟି ଖୁବ୍‌ ସୁନ୍ଦର ଦେଖାଯାଉଛି। ଏଥିରେ ଝିଅ ପ୍ରତି ଥିବା ହୃଦୟଭରା ଭଲପାଇବା ଫୁଟିକି ଦିଶୁଛି। ଜାହ୍ନବୀଙ୍କ ଏହି ଫଟୋରେ ବଲିଉଡ୍‌ର କରଣ ଜୋହର, ମନୀଷ ମାଲହୋତ୍ରା, ସ୍ମୃତି ଇରାନୀ, ଜୟା ଅଖତର, ସଞ୍ଜୟ କପୁର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜାହ୍ନବୀଙ୍କୁ ସମବେଦନା ଜଣାଇଛନ୍ତି। ଶ୍ରୀଦେବୀଙ୍କ ସ୍ବପ୍ନ ଥିଲା ଝିଅଙ୍କୁ ସୁପରଷ୍ଟାର କରାଇବେ। କିନ୍ତୁ ଜାହ୍ନବୀଙ୍କ ପ୍ରଥମ ଫିଲ୍ମର ଡେବ୍ୟୁ ପୂର୍ବରୁ ମା’ସବୁଦିନ ପାଇଁ ଛାଡ଼ି ଚାଲିଗଲେ।

Share