ମା’ ଦୁର୍ଗାଙ୍କୁ କେଉଁ ଦେବତା କେଉଁ ଅସ୍ତ୍ର ପ୍ରଦାନ କରିଥିଲେ ଜାଣନ୍ତୁ…

ମା’ ଦୁର୍ଗାଙ୍କ ଆବାହନରେ ପୁରପଲ୍ଲୀ ହୋଇଉଠିଛି ଚଳଚଞ୍ଚଳ। ଆଶ୍ୱୀନ ମାସ ଶୁକ୍ଳପକ୍ଷ ୬ଷ୍ଠୀ ତିଥିରୁ ଆରମ୍ଭ ହୋଇଛି ମା’ଙ୍କର ଏହି ପୂଜାର୍ଚ୍ଚନା। ଆଜି ଅର୍ଥାତ ରବିବାର ଅଷ୍ଟମୀ ପୂଜା। ଦଶମୀ ତିଥିରେ ମା’ଙ୍କ ପୂଜା ସମାପନ ହେବ। ଦେବୀ ଦୁର୍ଗାଙ୍କୁ ନେଇ ଏକ କାହାଣୀ ରହିଛି। ଧରାପୃଷ୍ଠରେ ଅସୁରମାନଙ୍କ ପାପ ବା ଅତ୍ୟାଚାର ବଢ଼ିଯିବାରୁ ଦେବତାମାନଙ୍କ ଅନୁରୋଧ ରକ୍ଷା କରି ଧରାପୃଷ୍ଠକୁ ଓହ୍ଲାଇ ଆସିଥିଲେ ମା’। ଦେବତାମାନେ ଜାଣିଥିଲେ ମହିଷାସୁରକୁ କେବଳ ଦୁର୍ଗା ହିଁ ମାରିପାରିବେ। ତେଣୁ ସମସ୍ତ ଦେବତା ନିଜ ନିଜର ଅସ୍ତ୍ର ମା’ଙ୍କୁ ଧରାଇଥିଲେ। ଆସନ୍ତୁ ଜାଣିବା କେଉଁ ଦେବତା ମା’ ଦୁର୍ଗାଙ୍କୁ କେଉଁସବୁ ଅସ୍ତ୍ର ପ୍ରଦାନ କରିଥିଲେ।

ତ୍ରିଶୂଳ : ମହିଷାସୁରଙ୍କୁ ବିନାଶ କରିବା ପାଇଁ ମହାଦେବ ମା’ଙ୍କୁ ତ୍ରିଶୂଳ ପ୍ରଦାନ କରିଥିଲେ।

ଶଙ୍ଖ : ଏହାକୁ ବରୁଣ ଦେବତା ମା’ ଦୁର୍ଗାଙ୍କୁ ଅସ୍ତ୍ର ଭାବେ ଦେଇଥିଲେ।

ଚକ୍ର : ପାପୀଙ୍କୁ ବିନାଶ କରିବା ପାଇଁ ଦୁର୍ଗାଙ୍କ ହାତରେ ଚକ୍ର ଧରାଇ ଦେଇଥିଲେ ଦେବତା ବିଷ୍ଣୁ।

ପଦ୍ମ : ଏହାକୁ ଦେବତା ବ୍ରହ୍ମା ମା’ଙ୍କୁ ପ୍ରଦାନ କରିଥିଲେ।

ଖଡ୍‌ଗ : ମହିଷାସୁରକୁ ବଧ କରିବା ପାଇଁ ଦୁର୍ଗାଙ୍କ ହାତରେ ଖଡ୍‌ଗ ଦେଇଥିଲେ କାଳ ବା ଯମଦେବତା।

ଧନୁତୀର : ବାୟୁ ଏବଂ ସୂର୍ଯ୍ୟଦେବତା ଦେବୀ ଦୁର୍ଗାଙ୍କୁ ଧନୁତୀର ପ୍ରଦାନ କରିଥିଲେ।

ସାପ : ତ୍ରିଶୂଳ ସହିତ ସାପ ମଧ୍ୟ ଦୁର୍ଗାଙ୍କୁ ପ୍ରଦାନ କରିଥିଲେ ପ୍ରଭୁ ତ୍ରିଲୋଚନ ।

ଘଡ଼ଘଡ଼ି : ଇନ୍ଦ୍ର ଦେବତା ମା’ଦୁର୍ଗାଙ୍କୁ ଘଡ଼ଘଡ଼ି ପ୍ରଦାନ କରିଥିଲେ। ଯାହାକୁ ଅସ୍ତ୍ର ଭାବେ ବ୍ୟବହାର କରି ମହିଷାସୁରକୁ ବଧ କରିଥିଲେ ମା’।

କୁରାଢ଼ି : ପ୍ରଭୁ ବିଶ୍ୱକର୍ମା ମା’ ଦୁର୍ଗାଙ୍କୁ କୁରାଢ଼ି ପ୍ରଦାନ କରିଥିଲେ।

ଗଦା : କୁବେର ଦେବତା ମା’ ଦୁର୍ଗାଙ୍କୁ ଗଦା ପ୍ରଦାନ କରିଥିଲେ।

ଏସବୁ ଅସ୍ତ୍ର ବ୍ୟବହାର କରି ଶେଷରେ ମା’ ଦୁର୍ଗା ମହିଷାସୁରକୁ ବଧ କରିବାରେ ସକ୍ଷମ ହୋଇଥିଲେ। ପରେ ଧରାପୃଷ୍ଠକୁ ଶାନ୍ତି ମିଳିଥିଲା।

Share