ମା’ ବିରଜାଙ୍କ ଦୁର୍ଗୋତ୍ସବ ପାଇଁ ପ୍ରସ୍ତୁତି

ଯାଜପୁର ଟାଉନ,୧୨।୯(ଡିଏନଏ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ଚଳିତ ବର୍ଷ ପାର୍ବଣ ଯାତ୍ରା ତଥା ଦୁର୍ଗୋସତ୍ବ ପାଇଁ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପ୍ରଶାସନ ଓ ସେବାୟତ ପରିଷଦ ମଧ୍ୟରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୨ଟା ୩୦ରେ ମନ୍ଦିର ପରିସର ନାଭିଗୟା ମଣ୍ଡପଠାରେ ଆୟୋଜିତ ବୈଠକରେ ମନ୍ଦିର ପ୍ରଶାସନ ତରଫରୁ ମୁଖ୍ୟ ପରିଚାଳକ ତଥା ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ସହକାରୀ ଜିଲାପାଳ ଅନୂପ କୁମାର ବେହେରା ଓ କର୍ମଚାରୀ ଗୁରୁଚରଣ ମହାରଣା, ପ୍ରଭାତ କୁମାର ପତି, ମଳୟ କୁମାର ପଣ୍ଡା ସମେତ ସେବାୟତ ପରିଷଦ ତରଫରୁ ସଭାପତି ଦେବୀପ୍ରସାଦ ପାଣି, ଉପସଭାପତି ସୀତାକାନ୍ତ ପାଣି, କାଯର୍‌ୟକାରୀ ସଭାପତି ସୁକାନ୍ତ ପାଣି ଯୋଗ ଦେଇଥିଲେ। ଚଳିତ ବର୍ଷରେ ପାଳନ ହେବାକୁ ଥିବା ମା’ ବିରଜାଙ୍କର ପୂଜା ସାରଣୀଟିକୁ ପାଠ କରାଯିବା ପରେ ସମସ୍ତ ପୂଜା କାଯର୍‌ୟ ସୁଚାରୁ ରୂପେ ସମ୍ପାଦନ କରାଯିବାକୁ ନିଷ୍ପତି ନିଆଯାଇଛି। ମନ୍ଦିରରେ ଦୈନିକ ୪ଜଣ ପୋଲିସ କର୍ମଚାରୀ ଉପସ୍ଥିତ ରହିବା, ରୋଷେଇ ସାମଗ୍ରୀ ଧାଯର୍‌ୟ ସମୟ ପୂର୍ବରୁ ଯୋଗାଇ ଦେବା, ପୂଜା କାଯର୍‌ୟରେ ବ୍ୟବହୃତ ସମସ୍ତ ପୂଜା ସାମଗ୍ରୀ ଠିକ୍‌ ସମୟରେ ଦେବା, ଛୋଟ ପିଲାମାନେ ରଥଯାତ୍ରା ସମୟରେ ରଥ ଉପରକୁ ନ ଯିବା, ରାତ୍ରୀ ମହାସ୍ନାନ ପରେ ଗର୍ଭଗୃହକୁ ଭକ୍ତ ପ୍ରବେଶ ନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ସଫେଇ କାଯର୍‌ୟ ପାଇଁ ସତ୍ୟସାଇ ସେବା ସଂସ୍ଥାକୁ ଜଣାଯିବା ସହିତ ରଥଯାତ୍ରା ସମୟରେ ପ୍ରତ୍ୟେକ ଦିନ ପୋଲିସ କର୍ମଚାରୀ ସହିତ ଜଣେ ମାଜିଷ୍ଟ୍ରେଟ୍‌ ଉପସ୍ଥିତ ରହିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ଚଳିତ ବର୍ଷର ପୂଜା ସାରଣୀକୁ ଯାଜପୁର ଜିଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ହୋଡ଼ିଂ ମାଧ୍ୟମରେ ଲେଖାଯିବା ସହିତ ଅନ୍ୟାନ୍ୟ ଜିଲାରେ ହୋଡ଼ିଂ ଲଗାଯିବାକୁ ସ୍ଥିର କରାଯାଇଛି। ବୈଠକ ଶେଷରେ ମୁଖ୍ୟ ପରିଚାଳକ ତଥା ଉପଜିଲାପାଳ ବିରଜା ମନ୍ଦିରକୁ ପଲିଥିନମୁକ୍ତ ଅଞ୍ଚଳ ଭାବେ ପରିଣତ କରିବାକୁ ସମସ୍ତ ସେବାୟତ, ବ୍ୟବସାୟୀ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ। ଆଗାମୀ ଦିନରେ କୌଣସି ଭକ୍ତ କିମ୍ବା ସେବାୟତ ସ୍ମାର୍ଟ ଫୋନ ଧରି ମନ୍ଦିର ପ୍ରବେଶ ନ କରିବାକୁ ପରମର୍ଶ ଦେଇଥିଲେ। ଶେଷରେ ସେବାୟତ ପରିଷଦର ବରିଷ୍ଠ ସଭ୍ୟ ଧନଞ୍ଜୟ ପାଣି ଧନ୍ୟବାଦ ଅର୍ପଣ କରିଥିଲେ।

Share