ମା’ ଭଦ୍ରକାଳୀଙ୍କ ସିଂହବାହିନୀ ବେଶ

ଭଦ୍ରକ ଅଫିସ, ୩୦ା୧୦:ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଚତୁର୍ଥ ଦିନରେ ବୁଧବାର ମା’ ସିଂହବାହିନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ବୁଧବାର ଦିନ ତମାମ ମା’ଙ୍କର ସିଂହବାହିନୀ ବେଶକୁ ଦର୍ଶନ ପାଇଁ ପ୍ରବଳ ଭିଡ ଲାଗି ରହିଛି। ଭକ୍ତମାନେ ଧାଡି ବାନ୍ଧି ଧୂପ, ଦୀପ, ଭୋଗ ଲଗାଇ ମା ଙ୍କର ଆର୍ଶୀବାଦ ଭିକ୍ଷା କରିଥିଲେ। ମା’ଙ୍କୁ ଏହି ପୀଠରେ ଦୁର୍ଗତୀନାଶିନୀ ସିଂହବାହିନୀ ବେଶରେ ପୂଜା କରାଯାଇଛି। ସିଂହ ମା’ଙ୍କର ବାହନ ଥିବାବେଳେ ନାଲିପାଟ ବସ୍ତ୍ର ପରିଧାନ କରି ସ୍ବର୍ଣ୍ଣ, ରୌପ୍ୟ, ଅଳଙ୍କାରରେ ଭୂଷିତ ହୋଇଛନ୍ତି। ଚାରି ହସ୍ତରେ ଖଡଗ, ତ୍ରିଶୂଳ, ଶଙ୍ଖ, ଚକ୍ର ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତିରେ ପ୍ରକଟ ହୋଇଛନ୍ତି ମା’ । ସିଂହବାହିନୀ ବେଶକୁ ଦର୍ଶନ କଲେ ଭକ୍ତଙ୍କର ଗ୍ରହଦଶା, ରିଷ୍ଟ ଖଣ୍ଡନ ତଥା ସମସ୍ତ ବିପଦ ଦୂର ହୁଏ ବୋଲି ବିଶ୍ୱାସ କରାଯାଏ। ପାଗ ଅନୁକୂଳ ଥିବାରୁ ମା’ଙ୍କ ବେଶ ଦର୍ଶନ ଲାଗି ବହୁ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି। ଗୁରୁବାର ମା ’ଙ୍କର ଜଗଦ୍ଧାତ୍ରୀ ବେଶ ଅନୁଷ୍ଠିତ ହେବ।