ମା’ ମଙ୍ଗଳାଙ୍କ ସହସ୍ରାକୁମ୍ଭାଭିଷେକ ଅନୁଷ୍ଠିତ

କାକଟପୁର,୨୧।୯(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ସହସ୍ରାକୁମ୍ଭାଭିଷେକ ନୀତି ଶନିବାର ଅନୁଷ୍ଠିତ ହୋଇଯାଇଛି। ରବିବାରଠାରୁ ମା’ଙ୍କ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହେବ। ଶନିବାର ଅପରାହ୍ନ ସାଢ଼େ ୨ଟାରେ ମା’ଙ୍କୁ ୧୦୮ କଳସ ଜଳରେ ସ୍ନାନ କରାଯିବା ପରେ ବସ୍ତ୍ର, ଫୁଲ, ଚନ୍ଦନ ଲାଗି କରାଯାଇଥିଲା। ପରେ ଆଳତି, ଭୋଗ, ନୈବିଦ୍ୟ ମା’ଙ୍କୁ ଲାଗି ହେବା ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଫିଟାଯାଇଥିଲା। ରବିବାର ମନ୍ଦିରରେ ସପ୍ତଶତୀ ଚଣ୍ଡୀପାଠ, ଅଖଣ୍ଡ ଦୀପ ସ୍ଥାପନା ସହ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବ ବୋଲି ପୂଜକ ପ୍ରଦୀପ ପଣ୍ଡା କହିଛନ୍ତି। ଚଳିତବର୍ଷ ମା’ଙ୍କ ଶାରଦୀୟ ପାର୍ବଣ ପୂଜା ପାଇଁ ଷୋଡ଼ଶ ଉପଚାର ପୂଜା ପଣ୍ଡା ଭାବେ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ଚନ୍ଦ୍ର ପଣ୍ଡାଙ୍କୁ ମନୋନୀତ କରାଯାଇଛି।