Categories: ଫୁରସତ

ମା’ ଲାଗି ସନ୍ତାନ କେବେ ବି ବଡ଼ ହୁଏନା: ଶହେ ବର୍ଷରେ ବି କେୟାର ହୋମ୍‌ରେ ପୁଅଙ୍କ ଦେଖାଶୁଣା କରୁଛନ୍ତି ଏଡ଼ା କେଟିଂ

ମା’ ମମତାମୟୀ, ପ୍ରେରଣାଦାୟୀ। ସମସ୍ତଙ୍କ ଜୀବନରେ ମା’ଙ୍କ ସ୍ଥାନ ଶୀର୍ଷରେ। କୁହାଯାଏ, ଭଗବାନ ସମସ୍ତଙ୍କ ପାଖରେ ସବୁବେଳେ ରହିପାରିବେ ନାହିଁ, ତେଣୁ ସେ ମା’ଙ୍କୁ ତିଆରି କରିଥିଲେ। କାରଣ ସେ ହିଁ ଭଗବାନଙ୍କ ଉପସ୍ଥିତିକୁ ପୂରଣ କରିପାରେ। ସନ୍ତାନଟିଏ ଯେତେ ବଡ଼ ହୋଇଥାଉନା କାହିଁକି, ମା’ ଆଖିରେ ସବୁବେଳେ ଛୋଟ। ସେ ଚାହିଁଲେ ସାରା ଜୀବନ ନିଜ ସନ୍ତାନର ଭାର ଉଠାଇପାରେ। ଏପରି ଜଣେ ମା’ ହେଉଛନ୍ତି ଲଣ୍ଡନର ଏଡ଼ା କେଟିଂ। ଏଡ଼ାଙ୍କୁ ଏବେ ଶହେ ବର୍ଷ ହୋଇଥିବା ବେଳେ ତାଙ୍କ ପୁଅ ଟମ୍‌ଙ୍କ ବୟସ ୮୨। ଉଭୟ ବାର୍ଦ୍ଧକ୍ୟ ସମୟରେ ଉପନୀତ। ହେଲେ ଏ ବୟସରେ ମଧ୍ୟ ପୁଅଙ୍କ ଯତ୍ନ ନେବାକୁ ଭୁଲନ୍ତି ନାହିଁ ଏଡ଼ା।
୨୦୧୬ରେ ଟମ୍‌ ନିଜକୁ ଏକୁଟିଆ ଭାବିଥିଲେ। ଏଣୁ ସେ ଲିଓ୍ବୁରେପୋଲସ୍‌ ମାସ୍‌ ଭିଓ୍ବୁ କେୟାର ହୋମ୍‌ରେ ରହିବାକୁ ନିଷ୍ପତ୍ତି ନେଇଥିଲେ। କୌଣସି ପ୍ରକାରେ ଏହି କଥା ଏଡ଼ା ଜାଣିବାକୁ ପାଇଥିଲେ। କେୟାର ହୋମ୍‌ରେ ପୁଅ ଟମ୍‌ଙ୍କ କଥା କିଏ ବୁଝିବ ଭାବି ସେ ମଧ୍ୟ ସେଠାକୁ ଚାଲିଆସିଥିଲେ। ଉଭୟ ଏବେ ସେଠାରେ ରହିଆସୁଛନ୍ତି। ଏହି ବୟସରେ ବି ସେମାନେ ଏକା ସାଙ୍ଗରେ ଖେଳନ୍ତି। ସାଙ୍ଗହୋଇ ଖାଆନ୍ତି, ମା’ ପୁଅକୁ ଶୁଭରାତ୍ରି ନ କହି ଶୋଇବାକୁ ଯାଆନ୍ତି ନାହିଁ। ଏହି ଦୁହିଁଙ୍କ ଯୋଡି ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଆଜିର ସମୟରେ ଯେଉଁଠି ସନ୍ତାନମାନେ ମା’କୁ ବୋଝ ବୋଲି ଭାବୁଛନ୍ତି, ସେଠାରେ ଏଭଳି ଘଟଣା ବିରଳ ବୋଲି କୁହାଯାଇପାରେ।

Share