ମିଛସତର ମଝିରେ ନାଚାର ଜୀବନ

ସୋନାମିକା ରାୟ

ଭାରତୀୟ ସଂସ୍କୃତି ବିଶ୍ୱର ପ୍ରାଚୀନତମ ସଂସ୍କୃତି ମଧ୍ୟରେ ଅନ୍ୟତମ। ବିଶାଳତା, ଉଦାରତା, ପ୍ରେମ, ସହିଷ୍ଣୁତା ଓ ନୈତିକତା ଆଦି ଗୁଣର ଡୋରରେ ବନ୍ଧାହୋଇଥିବା ଏହି ମହାନ୍‌ ଆର୍ଯ୍ୟସଂସ୍କୃତି ଅନନ୍ୟ ଓ ଅସାଧାରଣ। ଏକ ଉନ୍ନତ ସାମାଜିକ ମୂଲ୍ୟବୋଧ ଏହାର ଅସ୍ତିତ୍ୱ କହିଲେ ଅତ୍ୟୁକ୍ତି ହେବ ନାହିଁ। ସମୟକ୍ରମେ ବିଶ୍ୱର ପରିବର୍ତ୍ତନ ସଙ୍ଗେ ସଙ୍ଗେ ଶିଳ୍ପାୟନ, ସହରୀକରଣ, ବସ୍ତୁବାଦ, ବ୍ୟକ୍ତିବାଦ ଆଦି ଭାରି ଶବ୍ଦଗୁଡ଼ିକର ଆଗମନ ଆମର ସାମାଜିକ ମୂଲ୍ୟବୋଧକୁ କଳୁଷିତ କରିବାରେ ଲାଗିଛି। ପରିଣାମସ୍ବରୂପ ଏକ ଅବ୍ୟବସ୍ଥିତ ସାମାଜିକ ବ୍ୟବସ୍ଥାରେ ନିଜକୁ ଖାପ ଖୁଆଇବା ପାଇଁ ଆଜି ଏକ ଦୋହରା ଜୀବନ ବଞ୍ଚତ୍ବାର ଅଦମ୍ୟ ପ୍ରୟାସ ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ନିଜ ଘରେ ଘଟିଥିବା ଏକ ଘଟଣା ବିଷୟରେ ସାମାନ୍ୟ ଆଲୋକପାତ କରୁଛି। ଏକ ବ୍ୟସ୍ତବହୁଳ ଦିନ ପରେ ଘରେ ଆରାମ କରୁଥିବା ସମୟରେ ମୋ ଦଶବର୍ଷର ପୁଅ କହିଲା, ‘କେହି ଭଦ୍ରବ୍ୟକ୍ତି ଘରକୁ ଆସିଛନ୍ତି’। ହାଲିଆ ଯୋଗୁ ବାହାରକୁ ଯାଇ ଦେଖିବା ପାଇଁ ମନ ବଳିଲା ନାହିଁ। ପୁଅକୁ କହିଲି, ‘ଯା’ କହିଦେ, ମୁଁ ଘରେ ନାହିଁ’। ପୁଅ ସ୍ଥିରଦୃଷ୍ଟିରେ ମୋତେ ଅନାଇ କହିଲା, ‘ମିଛ କୁହ ନାହିଁ ବୋଲି ସବୁବେଳେ ଶିଖାଉଛ, ଅଥଚ ମିଛ କିପରି କହିବି ତାକୁ ମଧ୍ୟ ଶିଖାଉଛ’। ଦେହର ହାଲିଆ ମନକୁ ସଂକ୍ରମିତ ହେଲା। ଅଗତ୍ୟା ଉଠିଯାଇ ଭଦ୍ରବ୍ୟକ୍ତିଙ୍କୁ ଦେଖାକଲି। ମାତ୍ର ପୁଅର କଟାକ୍ଷ ମନକୁ ଭାରାକ୍ରାନ୍ତ କରି ରଖିଲା। ମନେମନେ ଭାବୁଥାଏ ଘରେ ଏହି ପଦିଏ ମିଛ ନୁହେଁ, ନିଜ ବୃତ୍ତିଗତ ଜୀବନରେ ଅବା ସମାଜରେ ଅନ୍ୟାନ୍ୟ ବ୍ୟକ୍ତିଙ୍କ ସହିତ ବାର୍ତ୍ତାଳାପ ସମୟରେ ଆମେ କେତେ ଯେ ନିଜର ମୂଲ୍ୟବୋଧ ସହିତ ସାଲିସ କରୁଛୁ, ତାହାର କଳନା ନାହିଁ। ପ୍ରତ୍ୟେକଙ୍କର ଘରୋଇ ଜୀବନ ଯେ ବାହ୍ୟଦୁନିଆ ତଥା ବୃତ୍ତିଗତ ଦୁନିଆଠାରୁ ସମ୍ପୂର୍ଣ୍ଣ ଭିନ୍ନ, ସେ କଥା ସମସ୍ତେ ନିଶ୍ଚୟ ଅନୁଭବ କରିଥିବେ।
ଭାବନ୍ତୁ ନିଜ ପିଲାଦିନର କଥା। ଘର, ପରିବେଶ, ବନ୍ଧୁବାନ୍ଧବ, ସାହିପଡ଼ିଶା, ସାଙ୍ଗସାଥୀଙ୍କ ସମ୍ପର୍କରେ କେତେ ମଧୁରତା ଥିଲା। ଆତ୍ମୀୟତାଭରା ଏକ ଭାବଗତ ସମ୍ବନ୍ଧରେ ଆମେ କେତେ ସହଜରେ ନିଜକୁ ବାନ୍ଧି ପାରୁଥିଲେ। ଗୁରୁଜନଙ୍କ ସ୍ନେହଶ୍ରଦ୍ଧାରେ ଆବିଳତା ନ ଥିଲା। ପଡ଼ୋଶୀମାନଙ୍କ ମଧ୍ୟରେ ସ୍ବାର୍ଥଗତ ନୁହେଁ, ବରଂ ଏକ ଭାବଗତ ସମ୍ବନ୍ଧ ଥିଲା। ସମାଜର ଆର୍ଥିକ ଓ ସାମାଜିକ ଉନ୍ନତି ତଥା ବ୍ୟକ୍ତିବାଦ ଓ ବସ୍ତୁବାଦର କାୟାବିସ୍ତାର ପିଲାଦିନେ ଶିଖିଥିବା ଏବଂ ଅନୁଭବ କରିଥିବା ଜୀବନତତ୍ତ୍ୱକୁ ପାଣିଫୋଟକା ପରି ମିଳେଇଦେଲା।
ସାମ୍ପ୍ରତିକ ସମାଜରେ ସାମାଜିକ ମୂଲ୍ୟବୋଧ ସ୍ଖଳନର ସମସ୍ତେ ଅଳ୍ପବହୁତେ ଭୁକ୍ତଭୋଗୀ। ପାଶ୍ଚାତ୍ୟ ସଂସ୍କୃତିର ଚାପ ତଥା ଉତ୍କଟ ଆଧୁନିକତାର ମାନସିକତା ଆମର ପାରମ୍ପରିକ ଜୀବନଶୈଳୀରେ ଯଥେଷ୍ଟ ପରିବର୍ତ୍ତନ ଆଣିଛି। ସଂସ୍କୃତିର ମୂଳଦଣ୍ଡ ବୋଲାଉଥିବା ଆତିଥେୟତା, ମାନବିକତା, ବନ୍ଧୁତା, ସହଯୋଗିତା, ସହଭାଗିତା ଆଦି ସ୍ବର୍ଗୀୟ ଶବ୍ଦଗୁଡ଼ିକ ନିଜର କାୟା ପରିବର୍ତ୍ତନ କରିଛନ୍ତି, ଯାହାର ପ୍ରଭାବ ଆମର ଭାଷା, ଖାଦ୍ୟପେୟ, ପୋଷାକପରିଚ୍ଛଦ, ଚିନ୍ତାଧାରା ଆଦି ପ୍ରତ୍ୟେକଟିରେ ଅନୁଭୂତ ହେଉଛି। ଯେପରି ଶାଢ଼ି ବଦଳରେ ଜିନ୍‌ସ ପିନ୍ଧିବା, ପିଠା ବଦଳରେ ପିଜା ଖାଇବା, ଜନ୍ମଦିନ ପାଳନରେ ପିଠାପଣା ବଦଳରେ କେକ୍‌ କାଟିବାକୁ ଗୁରୁତ୍ୱ ଦେବା, ବିଭିନ୍ନ ପର୍ବପର୍ବାଣି ପାଳନରେ ପାରମ୍ପରିକ ଶୈଳୀକୁ ଗୁରୁତ୍ୱ ନ ଦେବା ଆଦି ବହୁ ପରିବର୍ତ୍ତନ ସମ୍ବନ୍ଧରେ ଏଠାରେ ବ୍ୟାଖ୍ୟା କରାଯାଇପାରେ। ପରିବର୍ତ୍ତନଶୀଳ ସମାଜରେ ଏ ପ୍ରକାର ସାମାଜିକ ପରିବର୍ତ୍ତନ କେତେକାଂଶରେ ଗ୍ରହଣୀୟ ମଧ୍ୟ, ଯାହା ସାଂସ୍କୃତିକ ଅବକ୍ଷୟ ନୁହେଁ, ବରଂ ନୂତନ ସାମାଜିକ ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ମୋ ମତରେ ପ୍ରତ୍ୟେକ କ୍ଷେତ୍ରରେ ମୌଳିକତାକୁ ରକ୍ଷା କରୁଥିବା କୌଣସି ଯୁଗୋପଯୋଗୀ ପରିବର୍ତ୍ତନ ସ୍ବାଗତଯୋଗ୍ୟ। ମାତ୍ର ବିବେକୀ ଈଶ୍ୱରବିଶ୍ୱାସୀ ଅନ୍ତରାତ୍ମା ଯଦି ଏହାକୁ ଅଗ୍ରାହ୍ୟ କରୁଛି, ଅଥଚ କେବଳ ପାଶ୍ଚାତ୍ୟ ସଂସ୍କୃତି ସହିତ ତାଳ ଦେବା ଆଳରେ ଏବଂ ନିଜସ୍ବ ମାନସିକ ଦୃଢ଼ତାର ଅଭାବ ଯୋଗୁ ନିଜ ସଂସ୍କୃତି, ପରମ୍ପରାକୁ ନେଇ ଲଜ୍ଜାବୋଧ କରିବା ନିଶ୍ଚିତ ଭାବରେ ଏକ ଦୋହରା ବ୍ୟକ୍ତିତ୍ୱର ପରିଚୟ।
ଆସନ୍ତୁ ବିଚାର କରିବା ଆମର ବୃତ୍ତିଗତ ଜୀବନର କଥା। ମୋ ଅନୁଭୂତିରୁ ଏତିକି କହିପାରେ ଯେ, ବୃତ୍ତିଗତ ଜୀବନରେ କଠୋର ନୈତିକ ମୂଲ୍ୟବୋଧକୁ ଜାବୁଡ଼ି ଧରିଲେ ସାମୟିକ ବାହାବା ମିଳିପାରେ, ମାତ୍ର କେତେଦିନ ନିଜକୁ ଏକ ସୁରକ୍ଷା ବଳୟ ଭିତରେ ରଖିହେବ, ତାହାର କୌଣସି ଧାରଣା ନାହିଁ। ବରଂ ସତମିଛ କହି ପ୍ରତିଯୋଗିତାରେ ଶୀର୍ଷସ୍ଥାନରେ ପହଞ୍ଚତ୍ବାର ମୋହ ସମସ୍ତଙ୍କୁ ଘାରିଛି। ବିଭିନ୍ନ ପରିସି୍ଥତିିରେ ଉପରିସ୍ଥ ଅଧିକାରୀ, ରାଜନୈତିକ ନେତା ଅଥବା ନିଜର ସହକର୍ମୀ ପ୍ରତ୍ୟେକଙ୍କ ସହିତ ସାଲିସ କରୁକରୁ ବେଳେବେଳେ ନିଜ ବ୍ୟକ୍ତିତ୍ୱକୁ ମଧ୍ୟ ଚିହ୍ନିବା ମୁସ୍କିଲ୍‌ ହେଉଛି। ସ୍ବାର୍ଥାନ୍ଧ ଅର୍ଥକରୀ ସମାଜ ନିଜର ବ୍ୟକ୍ତିଗତ ଉନ୍ନତି ନିମନ୍ତେ ପ୍ରତିଯୋଗିତାରେ ମଗ୍ନ। ପ୍ରତିଷ୍ଠାର ଶିଡ଼ି ଚଢ଼ିଲାବେଳେ ବ୍ୟକ୍ତିଗତ ମୂଲ୍ୟବୋଧ ଯେ କେତେମାତ୍ରାରେ ତଳିତଳାନ୍ତ ହେଉଛି ତାହାର ସମୀକ୍ଷା କରିବା ପାଇଁ କାହାର ସମୟ ନାହିଁ କି ଇଚ୍ଛା ମଧ୍ୟ ନାହିିଁ। ବିଡ଼ମ୍ବନାର ବିଷୟ ଯେ, ସାମ୍ପ୍ରତିକ ସମାଜରେ ତୋଷାମଦକାରୀମାନେ ସମସ୍ତ ସଫଳତାର ଶ୍ରେୟ ଲାଭ କରୁଛନ୍ତି; ଆଉ ନୀତିନିଷ୍ଠମାନେ ଦଣ୍ଡିତ ହେଉଛନ୍ତି।
ପୌରାଣିକ ଯୁଗରେ ଭଲ ଓ ଖରାପର ସଂଜ୍ଞା ନିର୍ଦ୍ଦିଷ୍ଟ ଥିଲା। ପ୍ରତ୍ୟେକ ବ୍ୟକ୍ତିତ୍ୱ ନିଜର ପ୍ରକୃତ ସ୍ବରୂପ ନେଇ ଜନମାନସରେ ଚଳପ୍ରଚଳ ହେଉଥିଲେ ଏବଂ ଏକ ସହଜ ସରଳ ସାମାଜିକ ବ୍ୟବସ୍ଥାର ମଧ୍ୟ ପ୍ରଚଳନ ଥିଲା। ମାତ୍ର ଏବର ସାମାଜିକ ବ୍ୟବସ୍ଥାରେ ଖରାପ ଓ ଭଲର ସଂଜ୍ଞା ନିରୂପଣ ଏକବାରେ ଅସମ୍ଭବ। ଉତ୍ତମ ଆଚରଣ ପ୍ରଦର୍ଶନ କରୁଥିବା ବ୍ୟକ୍ତିଟି ଭଣ୍ଡ ଓ ପାଶବିକ ହୋଇପାରେ ଏବଂ ଦୁର୍ଦ୍ଦାନ୍ତ, ଦୁର୍ଦ୍ଧର୍ଷ ଦେଖାଯାଉଥିବା ବ୍ୟକ୍ତିଟି ଭିତରେ ଦେବତ୍ୱର ସତ୍ତା ମଧ୍ୟ ଥାଇପାରେ। ପିଲାମାନଙ୍କ ମନରେ ମାନବିକତା ପ୍ରତି ଶ୍ରଦ୍ଧା, ସମ୍ମାନ ଓ ବିଶ୍ୱାସକୁ ବଜାୟ ରଖିବା ସଙ୍ଗେ ସଙ୍ଗେ ବ୍ୟକ୍ତିବିଶେଷରେ ଥିବା ଚାରିତ୍ରିକ ପାର୍ଥକ୍ୟକୁ ମଧ୍ୟ ଦର୍ଶାଇବାକୁ ହେବ। ଯାହା ଆମେ ଶିଖିଛେ ବା ଶିଖିଥିଲେ ଅବିକଳ ସେହିଭଳି ଶିକ୍ଷା ଆମର ଦାୟାଦମାନଙ୍କ ଜୀବନସଂଗ୍ରାମରେ ପଥପ୍ରଦର୍ଶକ ହେବା ଦିଗରେ ମୁଁ ସନ୍ଦିହାନ। ବରଂ ସ୍ଥାନ-କାଳ-ପାତ୍ର ବିଚାରି ଠିକ୍‌ ଅନୁପାତରେ ନୈତିକ ଶିକ୍ଷାର ବ୍ୟବହାର ଏବଂ ଏକ ଜଟିଳ ସାମାଜିକ ବ୍ୟବସ୍ଥାରେ ଖାପଖୁଆଇ ଚଳିବା ପାଇଁ ବ୍ୟାବହାରିକ ଜ୍ଞାନର ଶିକ୍ଷା ତଥା ଅଭ୍ୟାସ ସେମାନଙ୍କୁ ଜଗତଜୟୀ କରାଇବ।
ଏଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉକ୍ତିଟି ମନେ ପଡ଼େ, ”ମୋର ମନେହୁଏ ଯେ ଜୀବନରେ ସତ୍ୟ ଛଡ଼ା ମିଥ୍ୟାର ଆବଶ୍ୟକତା ଆଦୌ ନାହିଁ।“ ସତ୍ୟ ପ୍ରତି ନିଷ୍ଠା ରହିଲେ ସବୁ କ୍ଷେତ୍ରରେ ତାହାର ପ୍ରୟୋଗ କରାଯାଇପାରିବ। ସତ୍ୟ ପ୍ରତି ଏକାନ୍ତ ନିଷ୍ଠା ମହାତ୍ମାଙ୍କ ପକ୍ଷରେ ସମ୍ଭବ ହୋଇପାରେ। କିନ୍ତୁ ଆମ ପରି ସାଧାରଣ ମାନବଟିଏ ସର୍ବଦା ସତ୍ୟ ପ୍ରତି ନିଷ୍ଠା ରଖି ଚଳିବା ସମ୍ଭବ ନୁହେଁ। ଅଳ୍ପବହୁତେ ସମସ୍ତେ ଆତ୍ମରକ୍ଷା ଓ ସ୍ବାର୍ଥରକ୍ଷା ପାଇଁ ମିଥ୍ୟାର ଆଶ୍ରୟ ନେବା ଅସ୍ବାଭାବିକ ନୁହେଁ। ବିବେକର ତାଡ଼ନାରେ ଆମେ ପଶ୍ଚାତ୍ତାପ କରୁ ସତ କିନ୍ତୁ ମନର ଆଗ୍ରହରେ ସେହି ଅନୁତାପ ପାଣିଫୋଟକା ପରି ଉଭେଇଯାଏ। ପାଶ୍ଚାତ୍ୟ ସଂସ୍କୃତି ଓ ସଭ୍ୟତାରେ ପରିପୁଷ୍ଟ ଆମର ମନ କିନ୍ତୁ ଆଜିର ଏ ଦୋହରାପଣିଆକୁ ବେଶ୍‌ ଆପଣେଇ ସାରିଛି। ଦ୍ୱନ୍ଦ୍ୱୀବୃତ୍ତିରେ ଏ ସମସ୍ତ ସୃଷ୍ଟି ଆକ୍ରାନ୍ତ, ଶ୍ରେୟୋନିଷ୍ଠା ଆସିବ କେମିତି? ‘ଚଳେଇ ନେଇ ପାରିଲେ ହେଲା’ ନ୍ୟାୟରେ ଆମେ ଚାଲିଛେ। ବ୍ୟକ୍ତିଗତ ଓ ପାରିବାରିକସ୍ତରରୁ ସାମାଜିକସ୍ତର ପର୍ଯ୍ୟନ୍ତ ଏ ଦୋହରାପଣ ରାଜତ୍ୱ କରିଚାଲିଛି, ଆଗକୁ ମଧ୍ୟ ଚାଲିବ, ଏଥିରେ ସନ୍ଦେହ ନାହିଁ। ସମୟଚକ୍ରରେ ସମାଧାନର ପନ୍ଥା ନିଶ୍ଚୟ ଫିଟିବ, ସେତେବେଳେ ଇତିହାସରେ ଏହି ଦୋହରାପଣିଆକୁ କିପରି ଉପସ୍ଥାପନ କରାଯିବ, ତାହା ଭବିଷ୍ୟତ ହିଁ କହିବ।
ମୋ : ୭୯୭୮୫୮୯୦୪୭


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ ତାତି

ଆଧୁନିକ ଯନ୍ତ୍ରପାତି, କଳକାରଖାନା ଓ ଯାନବାହନରୁ ବାହାରୁଥିବା ଅଙ୍ଗାରକାମ୍ଳ ଓ ଧୂଅଁା ବାୟୁମଣ୍ଡଳକୁ ପ୍ରଦୂଷଣ କରିବାରେ ଲାଗିଛି। ଏହାଦ୍ୱାରା ବାୟୁମଣ୍ଡଳର ତାପମାତ୍ରା ମଧ୍ୟ ବୃଦ୍ଧି ହେବାରେ...

କିଶୋର ନ୍ୟାୟ ବ୍ୟବସ୍ଥାରେ ଶିଶୁ ଯତ୍ନ ଅନୁଷ୍ଠାନ

କିଶୋର ନ୍ୟାୟ (ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା) ଅଧିନିୟମରେ ସାଧାରଣତଃ ଦୁଇ ପ୍ରକାରର ଶିଶୁଙ୍କ ସମ୍ବନ୍ଧରେ ପ୍ରାବଧାନତା ରହିଛି। ପ୍ରଥମତଃ ଯତ୍ନ ଓ ସୁରକ୍ଷା ଆବଶ୍ୟକ...

ହିନ୍ଦୀରେ ଇଂଲିଶ୍‌ ନାମ

ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଜାତୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଇଂଲିଶ୍‌-ମାଧ୍ୟମ ସ୍କୁଲଗୁଡ଼ିକରେ ପ୍ରଚଳିତ ନୂଆ ପାଠ୍ୟ ପୁସ୍ତକର ହିନ୍ଦୀ ନାମକରଣ କରିଛି,...

ପିଲା ଚୋରି ଓ ପୋଲିସ

ଭୁବନେଶ୍ୱର ରାମମନ୍ଦିର ନିକଟରେ ଭିକ୍ଷା ମାଗି ଚଳୁଥିବା ଜୟନ୍ତୀ ମଲ୍ଲିକ ନାମ୍ନୀ ଦୃଷ୍ଟିବାଧିତ ମହିଳାଙ୍କ ଦେଢ଼ବର୍ଷର ଶିଶୁପୁତ୍ର ଚୋରି ହେବା ରାଜଧାନୀରେ ପିଲା ଚୋର ର଼୍ୟାକେଟ୍‌ର...

ଏଇ ଭାରତରେ

ଚୋର ବିଭିନ୍ନ ଜିନିଷ ଚୋରି କରିବା କଥା ସମସ୍ତେ ଶୁଣିଥିବେ। ହେଲେ ଚୋରି କରିଥିବା ଜିନିଷକୁ ଚୋର କେବେ ସେହି ସ୍ଥାନକୁ ଫେରାଇବାକୁ ଆସିବା କଥା...

ପୁରୁଷ ଆଇନ କେତେ ଜରୁରୀ

ପୁରୁଷଙ୍କ ପାଇଁ ସ୍ବତନ୍ତ୍ର କମିଶନ ଗଠନ କରିବାର ନିଷ୍ପତ୍ତି ନେବା ଏକ ଜଟିଳ ପ୍ରସଙ୍ଗ। କାରଣ ସମାଜର ଗୋଟିଏ ବର୍ଗ ଏହାର ଆବଶ୍ୟକତା ଥିବାର କହୁଥିବାବେଳେ...

ନୀତିଭ୍ରଷ୍ଟ ଶିକ୍ଷା ଓ ଛାତ୍ରୀଛାତ୍ର

ନିକଟ ଅତୀତରେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଦୁଇଟି ଭିଡିଓ ବେଶ୍‌ ହୃଦୟସ୍ପର୍ଶୀ। ପ୍ରଥମଟି ଆନ୍ଧ୍ରପ୍ରଦେଶର ଗୋଟିଏ ସ୍କୁଲରେ ପ୍ରାର୍ଥନା ଚାଲିଥିବାବେଳେ ପ୍ରଧାନଶିକ୍ଷକ ନିଜେ କାନ...

ଭୁଲିବାନି ଯଶଓ୍ବନ୍ତଙ୍କୁ

ଗଣତନ୍ତ୍ରର ୩ ମୁଖ୍ୟ ସ୍ତମ୍ଭ ବିଧାନପାଳିକା, ନ୍ୟାୟପାଳିକା ଓ କାର୍ଯ୍ୟପାଳିକାର ସାମ୍ବିଧାନିକ କର୍ତ୍ତବ୍ୟ ପାଳନକୁ ନେଇ ସାଧାରଣରେ ଆଲୋଚନା ହୋଇଥାଏ। ଭାରତରେ ମଧ୍ୟ ସେହି ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image