ଭବାନୀପାଟଣା/ଜୟପାଟଣା, ୧୩ା୪(ସ୍ବ.ପ୍ର/ଡି.ଏନ.ଏ.): ମହାମାରୀ କରୋନା ସମ୍ପର୍କରେ ମିଥ୍ୟା ଖବର ପରିବେଷଣ କରିବା ଅଭିଯୋଗରେ ଜଣେ ୱେବ ମିଡିଆ ଖବରଦାତାଙ୍କୁ କଳାହାଣ୍ଡି ଜିଲା ଜୟପାଟଣା ଥାନା ପୋଲିସ ଗିରଫ କରିଛି। ତାଙ୍କ ନାମ ବିମଳକାନ୍ତ ପଣ୍ଡା। ଦଫା ୧୫୩ ଏ, ୫୦୪, ୫୦୫ ଏ, ୨୬୮ରେ ଏକ ମାମଲା (ନଂ. ୧୧୮/୨୦) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଜୟପାଟଣା ଥାନା ଅଧିକାରୀ ରଶ୍ମିତା ପ୍ରଧାନ ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାରହଲଦୀ ପଞ୍ଚାୟତରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ଜୟପାଟଣା ବ୍ଲକ କପୁରମାଲ ଗଁାର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ଭଳି ମିଥ୍ୟା ଖବର ପରିବେଷଣ କରିଥିଲେ। ଏ ନେଇ ସ୍ଥାନୀୟ ସରପଞ୍ଚ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ।