ମିଠାଦୋକାନ ଉପରକୁ ବୋମାମାଡ଼ ଘଟଣା: ୪୮ ଘଣ୍ଟା ବିତିଲା, ଅଭିଯୁକ୍ତଙ୍କ ପତ୍ତା ପାଉନି ପୋଲିସ

କଟକ ଅଫିସ,୨୭ା୭: ବାଦାମବାଡି ଥାନା ଅନ୍ତର୍ଗତ ଖାନ୍‌ନଗର ଅଞ୍ଚଳରେ ଥିବା ନାଥସାହୁ ମିଠା ଦୋକାନ ଉପରେ ବୁଧବାର ବୋମାମାଡ ହୋଇଥିଲା। ଏହି ଘଟଣାକୁ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ ହୋଇଛି। ଏପରି ସ୍ଥଳେ ଖାନ୍‌ନଗର ଅଞ୍ଚଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ବୋମା ମାଡ ହୋଇଥିବା ମିଠା ଦୋକାନର ପାଖ ଦୋକାନୀମାନେ ଭୟରେ ଦୋକାନ ରାତିରେ ଶୀଘ୍ର ବନ୍ଦ କରି ଦେଉଛନ୍ତି। ଉକ୍ତ ମିଠାଦୋକାନ ମାଲିକ ପ୍ରତାପ ସାହୁଙ୍କ କହିବାନୁଯାୟୀ, ମୋ ଜୀବନ ପ୍ରତି ବିପଦ ଥିବା ନେଇ ବାଦାମବାଡି ଥାନାରେ ଅଭିଯୋଗ କରିଥିଲି। ପୋଲିସ ପକ୍ଷରୁ ମୋତେ ସୁରକ୍ଷା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ମୋତେ କିମ୍ବା ମୋ ପରିବାର ଲୋକଙ୍କୁ କୌଣସି ସୁରକ୍ଷା ଯୋଗାଇ ଦିଆଯାଇନାହିଁ। ପୋଲିସ ଠିକ୍‌ ଭାବେ ତଦନ୍ତ କରୁ ନ ଥିବାରୁ ଅଭିଯୁକ୍ତଙ୍କ ସମ୍ପର୍କରେ ସୁରାକ ପାଇପାରୁନାହି। ଏ ନେଇ ବାଦାମବାଡି ଥାନା ଅଧିକାରୀ ହିମାଂଶୁ ଭୁଷଣ ସ୍ବାଇଁ କହିଛନ୍ତି, ଆମେ ତଦନ୍ତ ଚଳାଇଛୁ। ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଇଛି। ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ। ସୂଚନାଯୋଗ୍ୟ, ଗତ ବୁଧବାର ପୂର୍ବାହ୍ନରେ ଦୁଇଜଣ ଦୁର୍ବୃତ୍ତ ମୁହଁରେ ଗାମୁଛା ବାନ୍ଧି ଏକ ବାଇକରେ ଆସି ନାଥସାହୁ ମିଠା ଦୋକାନ ପାଖରେ ପହଞ୍ଚିଥିଲେ। ଦୋକାନ ଉପରକୁ ଗୋଟିଏ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ବୋମା ମାଡରେ ଦୋକାନର ସମ୍ମୁଖ କାନ୍ଥ କ୍ଷତିଗ୍ରସ୍ତ ହୋଇଥିଲା।

Share