ମିନତି ମିଶ୍ରଙ୍କୁ ମରଣୋତ୍ତର ଗୁରୁ ଗଙ୍ଗାଧର ପ୍ରଧାନ ସମ୍ମାନ

କୋଣାର୍କ,୨୨।୨(ଡି.ଏନ.ଏ): କୋଣାର୍କ ନାଟ୍ୟମଣ୍ଡପରେ ଚାଲିଥିବା ୩୪ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ପଞ୍ଚଦେବ ସ୍ତୁତି ପରେ ବିଖ୍ୟାତ ସିତାର ବାଦକ ପଣ୍ଡିତ ରବି ଶଙ୍କର ପ୍ରଧାନ ଋତୁରାଜ ବସନ୍ତକୁ ନେଇ ରାଗ-ବାହାର ପରିବେଷଣ କରିଥିଲେ। ଦ୍ୱିତୀୟ ଚରଣରେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ମନୋରଞ୍ଜନ ପ୍ରଧାନ ଓ ଗୁରୁ ମିନତି ପ୍ରଧାନ ନୃତ୍ୟ ପରିବେଷଣ କରିଥିଲେ। ଓଡ଼ିଶୀ ନୃତ୍ୟରେ ଅର୍ଦ୍ଧ ନାରୀଶ୍ୱର ‘କୋଣାର୍କ କାନ୍ତି’ ଓ ମାଣିକପାଟଣା ଶିବ-ପାର୍ବତୀଙ୍କ ମିଳନ, ପ୍ରକୃତି ପୁରୁଷର ମିଳନର ତତ୍ତ୍ୱକୁ ବ୍ୟକ୍ତ କରିଥିବା ବେଳେ କୋଣାର୍କ କାନ୍ତି ଅର୍କକ୍ଷେତ୍ରର ଗରିମାକୁ ତୋଳି ଧରିଥିଲା। ଅନୁରୂପ ଭାବେ ‘ମାଣିକପାଟଣା’ ଶ୍ରୀଜଗନ୍ନାଥ ଓ ମାଣିକ ଗଉଡୁଣୀ ପ୍ରସଙ୍ଗକୁ ସ୍ପଷ୍ଟ କରିଥିଲା। ଅନ୍ତିମ ପ୍ରସ୍ତୁତିରେ ଗୋକୁଳ ଚନ୍ଦ୍ର ଛଉନୃତ୍ୟ ପ୍ରତିଷ୍ଠାନ ମୟୂରଭଞ୍ଜର ଶିଳ୍ପୀଗଣ ସମରକଳା ଆଧାରିତ ଛଉନୃତ୍ୟ ପରିବେଷଣ କରିଥିଲେ। ପଦ୍ମଶ୍ରୀ ସ୍ବର୍ଗତା ଡ.ମିନିତୀ ମିଶ୍ରଙ୍କୁ ମରଣୋତ୍ତର ଗୁରୁ ଗଙ୍ଗାଧର ପ୍ରଧାନ ସମ୍ମାନ ପ୍ରଦାନ କରାଯାଇଥିଲା। ଏହାକୁ ପଦ୍ମଶ୍ରୀ ସ୍ବର୍ଗତା ମିଶ୍ରଙ୍କ ଶିଷ୍ୟ ଓ ଶିଷ୍ୟା ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲ ଓ ଗୁରୁ ମୀନାକ୍ଷୀ ବେହେରା ଗ୍ରହଣ କରିଥିଲେ। ଏହି ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ରାଜନେତା ଓ କବି ଶଙ୍କର ପରିଡା, ଲୋକସେବକ ମଣ୍ଡଳ ସଭ୍ୟ ସୂର୍ଯ୍ୟ ରଥ, ନାଟ୍ୟମଣ୍ଡପ ସହ ପ୍ରତିଷ୍ଠାତା ସୁଲୋଚନା ପ୍ରଧାନ, ସଭାପତି ଡ.ରମଣୀ ରଞ୍ଜନ ଜେନା,ସମ୍ପାଦକ ଶିବାଶିଷ ପ୍ରଧାନ ଓ ଯୁଗ୍ମସମ୍ପାଦକ ଗୁରୁପଦ ବଳିଆରସିଂହ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ନାଟ୍ୟମଣ୍ଡପର ଉପସଭାପତି ପ୍ରସନ୍ନ ବେଉରିଆ,ଜଟାଧାରୀ ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ।

Share