ମିନିବସ୍‌ ଓଲଟି ଜଣେ ମୃତ, ୭ ଗୁରୁତର

କବିସୂର୍ଯ୍ୟନଗର,୧୨।୬-ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ବୁଢ଼ାମ୍ବଗାଁସ୍ଥିତ ଜେମାଦେଇ ମନ୍ଦିର ନିକଟରେ ବୁଧବାର ଏକ ଯାତ୍ରୀବାହୀ ମିନବସ ଓଲଟି ପଡିଛି। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ପୋଲସରା ଥାନା ପଙ୍କଳବାଡ଼ିର ହରପ୍ରସାଦ ପୋଲାଇ (୨୩)। ପୋଲସରାର ଭାସ୍କର ସାହୁ, ସବିତା ସାହୁ, ଗୋପାଳ ଡାକୁଆ, ଦୂତୀ ଗୌଡ଼, ବଡ଼ଆଗୁଳର ମଙ୍ଗୁଳୁ ସ୍ବାଇଁ, ଆଠଗଡ଼ର ଅରୁଣ ସାହୁ ଓ କଣ୍ଡକ୍ଟର ଆସିକା କଲେଜ ଛକର ପ୍ରଦୀପ କୁମାର ପ୍ରଧାନଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି। ପ୍ରକାଶ ଯେ, ଯାତ୍ରୀବାହୀ ମିନିବସ ମଧ୍ୟାହ୍ନରେ ପୋଲସରାରୁ କବିସୂର୍ଯ୍ୟନଗର ଆସୁଥିଲା। ଜେମାଦେଇପୁର ମନ୍ଦିର ନିକଟ ବୁଲାଣିରେ ଚାଳକ ଭାରସାମ୍ୟ ହରାଇବାରୁ ବସ୍‌ଟି ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ହରପ୍ରସାଦଙ୍କ ମୃତ୍ୟୁ ଘଟିଥିଲା। ଆଇଆଇସି ତପନ କୁମାର ପତି ପହଞ୍ଚତ୍ ଗାଡ଼ି ଓ ମୃତଦେହ ଜବତ କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲ ପଠାଯାଇଛି। ଚାଳକ ଫେରାର ଥିବାବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି।

Share