Categories: ଗଞ୍ଜାମ

ମିନିବସ୍‌ ଚୋରି ଉଦ୍ୟମ : ଚାଳକଙ୍କୁ ଅଟକ ରଖି ପୋଲିସର ପଚରାଉଚରା

ଦିଗପହଣ୍ଡି,୧୮।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡରୁ ଯାତ୍ରୀବାହୀ ମିନିବସ୍‌ ନଂ ଓଆର- ୦୭- ୬୫୦୧କୁ ଚୋରି କରି ଜଣେ ଚାଳକ ନେଇ ଯାଉଥିବାବେଳେ ରବିବାର ଅପରାହ୍ନରେ ଡିଭାଇଡରରେ ପିଟି ଦେବାରୁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଯିବାରୁ ଚୋରି ଘଟଣାରେ ସଂପୃକ୍ତ ଜଣେ ଅଣଓଡ଼ିଆ ଗାଡ଼ିଚାଳକଙ୍କୁ କାବୁ କରି ଦିଗପହଣ୍ଡି ପୋଲିସକୁ ହସ୍ତାନ୍ତର କରିଛନ୍ତି। ମିନିବସ୍‌ଟି ଦିଗପହଣ୍ଡିରେ ରହୁଥିବା ବିନୋଦ କୁମାର ସାହୁଙ୍କର ବୋଲି ସୂଚନା ମିଳିଛି। ଅଭିଯୁକ୍ତଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତାଙ୍କର ପ୍ରକୃତ ପରିଚୟ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଜନଗହଳି ଯୋଗୁ ରାସ୍ତାରେ ଟ୍ରାଫିକ ସମସ୍ୟା ଉପୁଜିଥିଲା। ଫଳରେ ଥାନା ଆଇଆଇସି ଗୌରାଙ୍ଗ ଚରଣ ସାହୁ, ଏସ୍‌ଆଇ ମଧୁସ୍ମିତା ପ୍ରଧାନ, ମାଧବ ଚନ୍ଦ୍ର ଟାକ୍‌୍‌ରୀ ପ୍ରମୁଖ ସଦଳବଳେ ପହଞ୍ଚ ରାସ୍ତା ଅବରୋଧ ହଟାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଅନ୍ୟପକ୍ଷରେ ବର୍ଷକ ମଧ୍ୟରେ ଅଞ୍ଚଳରେ ଗାଡ଼ି ଚୋରି ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଗାଡ଼ିଚୋର ର଼୍ୟାକେଟ୍‌କୁ ଧରିବା ପାଇଁ ଖେମୁଣ୍ଡି ମିନିବସ୍‌ ମାଲିକ ସଂଘ ପକ୍ଷରୁ ଦାବି ହୋଇଛି।