ମିନି ଜାମ୍ବୋରୀ ଉଦ୍‌ଘାଟିତ ‘ସେବା ମାଧ୍ୟମରେ ବିଶ୍ୱକୁ ଏକାଠି କରିହେବ’

ଖୋର୍ଦ୍ଧା ଅଫିସ,୩ା୧୨: ପୂରା ବିଶ୍ୱ ଓ ବ୍ରହ୍ମାଣ୍ଡ ଏକ। ସେବା ମାଧ୍ୟମରେ ବିଶ୍ୱକୁ ଏକାଠି କରିବାକୁ ପଡିବ। ଆସନ୍ତୁ ଏକାଠି ହୋଇ ଆଗକୁ ବଢ଼ିବା। ଏଥିରେ ଭେଦଭାବ ନ ଥିବ। ସେବା ମାଧ୍ୟମରେ ବିଶ୍ୱକୁ ଏକାଠି କରିବାର ଯେଉଁ ଉପକ୍ରମ ତାହା ମିନି ଜାମ୍ବୋରୀର ପ୍ରୟାସ। ରାଜ୍ୟ ଭାରତ ସ୍କାଉଟସ୍‌ ଏବଂ ଗାଇଡସ୍‌ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲା ବରୁଣେଇ ପାହାଡସ୍ଥିତ ରାଜ୍ୟ ତାଲିମ କେନ୍ଦ୍ର୍ର ପରିସରରେ ଜାତୀୟସ୍ତରୀୟ ରୋଭର ରେଞ୍ଜର ମିନି ଜାମ୍ବୋରୀକୁ ସୋମବାର ଉଦ୍‌ଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, ଭାରତ ବର୍ଷରେ ଶାନ୍ତି, ସଂହତି ଓ ଏକତା ବଜାୟ ରଖିବାକୁ ହେଲେ ସ୍କାଉଟ୍‌ ଓ ଜାମ୍ବୋରୀର ଆବଶ୍ୟକତା ରହିଛି। ସ୍କାଉଟ୍‌ ଓ ଗାଇଡ୍‌ ସଙ୍ଗଠନ ପ୍ରତ୍ୟେକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସିଛି। ଏଥିରେ ସମ୍ମାନିିତ ଅତିଥିଭାବେ ରାଜ୍ୟ ସଭାପତି ତଥା ବିଧାୟକ ବିଷ୍ଣୁଚରଣ ଦାସ, ଜାତୀୟ ମୁଖ୍ୟ ରାଜ୍ୟ କମିଶନର ତଥା ଜାତୀୟ ଉପସଭାପତି ଡ. କାଳୀପ୍ରସାଦ ମିଶ୍ର, କର୍ନାଟକ ରାଜ୍ୟ ସ୍କାଉଟ/ଗାଇଡ୍‌ର ମୁଖ୍ୟ କମିଶନର ତଥା ପୂର୍ବତନ ମନ୍ତ୍ରୀ ପି.ଜି.ଆର୍‌. ସିନ୍ଧିଆ, ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତି ମନୋରଞ୍ଜନ ମହାନ୍ତି, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ମୁଖ୍ୟ ଡାକପାଳ ସନ୍ତୋଷ କାମିଲା, ଜିଲାପାଳ ସୀତାଂଶୁ କୁମାର ରାଉତ, ଯୁଗ୍ମ ନିର୍ଦ୍ଦେଶକ ଦର୍ଶନ ପାଓ୍ବାସକାର ପ୍ରମୁଖ ଯୋଗଦେଇଥିଲେ। ରାଜ୍ୟ ମୁଖ୍ୟ କମିଶନର ମିଶ୍ର ଅତିଥିଙ୍କୁ ସ୍ବାଗତ କରିବାକୁ ଯାଇ ଜାମ୍ବୋରୀର ଉଦ୍ଦେଶ୍ୟ ତଥା ରାଜ୍ୟ ସଙ୍ଗଠନର ବର୍ଷ ବ୍ୟାପୀ ବିଭିନ୍ନ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଏବଂ ରୋଭର ଓ ରେଞ୍ଜରମାନଙ୍କ ଦ୍ୱାରା ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ବାର୍ଷିକ ଅବସରରେ ଜାମ୍ବୋରୀରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ସିନ୍ଧିଆ ପ୍ରତ୍ୟେକ କାର୍ଯ୍ୟରେ ଓଡିଶା ସଙ୍ଗଠନ ସବୁବେଳେ ଅଗ୍ରଣୀ ଭୂମିକା ନିର୍ବାହ କରିଆସିଥିବାରୁ ସାଧୁବାଦ ଜଣାଇଥିଲେ। ଅନ୍ୟ ଅତିଥିମାନେ ଅନୁରୂପଭାବେ ଜାମ୍ବୋରୀର ସଫଳତା କାମନା କରି ରୋଭର ରେଞ୍ଜରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ବେଟର ଓ୍ବାର୍ଲଡ୍‌ ଭିଲେଜ ସ୍ପେଶିୟାଲ ପୋଷ୍ଟାଲ କଭର ଏବଂ ଜାମ୍ବୋରୀ ପତ୍ରିକା ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ରୋଭର ରେଞ୍ଜରମାନଙ୍କ ଦ୍ୱାରା ଆକର୍ଷଣୀୟ ସଂହତି ନୃତ୍ୟ, ଖୋର୍ଦ୍ଧା ପାଇକଙ୍କ ସାମରିକ କଳା ଆକର୍ଷଣୀୟ ଥିଲା। ସନ୍ଧ୍ୟାରେ ରୋଭର ରେଞ୍ଜରମାନଙ୍କ ଦ୍ୱାରା ଆୟୋଜିତ ଲୋକନୃତ୍ୟ ଉତ୍ସବରେ ସାମାଜିକ କର୍ମୀ ନନ୍ଦିନୀ ମହାପାତ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ସେମାନଙ୍କର ଅନ୍ତର୍ନିହିତ କଳାର ପ୍ରଶଂସା କରିଥିଲେ। ହାମ୍‌ ରେଡିଓ ମାଧ୍ୟମରେ ଜାମ୍ବୋରୀ ସମ୍ବନ୍ଧୀୟ ସବିଶେଷ ସୂଚନା ଦେଶ ଓ ବିଦେଶରେ ପ୍ରସାରଣର ବ୍ୟବସ୍ଥା ରହିଛି।