ମିଲର ନେଲେନି ଧାନ, ମଣ୍ଡିରେ ଉତ୍ତେଜନା

ଢେଙ୍କାନାଳ ଅଫିସ, ୫।୩ – ମିଲରଙ୍କ ମନମୁଖି କାର୍ଯ୍ୟ ପାଇଁ ଢେଙ୍କାନାଳ ସଦର ବ୍ଲକ ଗେଙ୍ଗୁଟିଆ ମଣ୍ଡିରୁ ବୁଧବାର ଧାନ ଉଠି ନ ଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଚାଷୀମାନେ ଧାନବସ୍ତା ରଖି ଦୀର୍ଘ ସମୟ ଧରି ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା।
ଅଭିଯୋଗ ଅନୁଯାୟୀ, ବୁଧବାର ଗେଙ୍ଗୁଟିଆ ମଣ୍ଡିକୁ ବହୁ ଟୋକନଧାରୀ ଚାଷୀ ଧାନ ବିକ୍ରି କରିବାକୁ ଆସିଥିଲେ। ହେଲେ ମିଲର ପଠାଇଥିବା ଟ୍ରକ୍‌ ଫେରି ଯାଇଥିଲା। ଚାଷୀଙ୍କୁ ଧାନ ଉଠା ନ ଯିବା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନ ଥିଲା। ଫଳରେ ଅପରାହ୍ନ ଯାଏ ଚାଷୀମାନେ ବର୍ଷାରେ ହୀନସ୍ତା ହୋଇ ଧାନ ବିକିବା ଆଶାରେ ଅପେକ୍ଷା କରି ରହିଥିଲେ। ମଣ୍ଡିରୁ ଧାନ ଉଠିବ ନାହିଁ ବୋଲି ଜଣାପଡ଼ିବା ପରେ ସେମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଚାଷୀମାନେ ଏକାଠି ହୋଇ ରାସ୍ତାକୁ ଓହ୍ଲାଇ ଆସିଥିଲେ। ଏଥିସହ ରାସ୍ତାରେ ଧାନବସ୍ତା ରଖି ମିଲରଙ୍କ ମନମାନି ବିରୋଧରେ ନାରାବାଜି କରିଥିଲେ। ସୂଚନା ପାଇ ଯୋଗାଣ ବିଭାଗ ଅଧିକାରୀ ପହଞ୍ଚତ୍ ଚାଷୀଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ଏ ନେଇ ଯୋଗାଣ ଅଧିକାରୀ ସଞ୍ଜୀବ ସାହୁ କୁହନ୍ତି, ବର୍ଷା ହେବାରୁ ସମସ୍ୟା ସୃଷ୍ଟି ହୋଇଥିଲା। ଧାନ ଉଠାଇବାକୁ ମିଲର ଗାଡ଼ି ପଠାଇଥିଲେ। ହେଲେ ଲେବରମାନେ ପଳାଇଯିବାରୁ ଧାନ ଉଠିପାରିନି। ଗୁରୁବାର ଚାଷୀଙ୍କ ଧାନ ଉଠାଯିବ ବୋଲି ସେ ସୂଚନା ଦେଇଛନ୍ତି।