Categories: ଖେଳ

ମିଲିଟାରୀ ୱାର୍ଲଡ ଗେମ୍ସ: ଦୀପକ ରୌପ୍ୟ, ବାଲାଜୀ ବ୍ରୋଞ୍ଜ୍‌ ଜିତିଲେ

ଉହାନ୍‌ (ଚାଇନା), ୨୭ା୧୦(ପି.ଟି.)-ଏଠାରେ ଚାଲିଥିବା ୭ମ ମିଲିଟାରୀ ୱାର୍ଲଡ ଗେମ୍ସରେ ଭାରତୀୟ ବକ୍ସର ଦୀପକ ଏକ ରୌପ୍ୟ ଜିତିଥିବାବେଳେ ଟେନିସ ଖେଳାଳି ଏନ୍‌. ଶ୍ରୀରାମ ବାଲାଜୀ ଏକ ବ୍ରୋଞ୍ଜ ଜିତିଛନ୍ତି। ୪୬-୪୯ କେଜି କାଟେଗୋରି ପୁରୁଷ ଲାଇଟ୍‌ ଫ୍ଲାଇଓ୍ବେଟ କାଟେଗୋରି ଫାଇନାଲରେ ଦୀପକ ସ୍ବର୍ଣ୍ଣ ବିଜୟୀ କାଜାଖସ୍ତାନର ଝୁସୁପୋଭ୍‌ ତେମିରତାସଙ୍କଠାରୁ ୦-୫ରେ ହାରିଯାଇଛନ୍ତି। ବାଲାଜୀ ଏକ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ବ୍ରୋଞ୍ଜ ପଦକ ମୁକାବିଲାରେ ଉଜ୍‌ବେକିସ୍ତାନର ଫୋମିନ୍‌ ସର୍ଗେଙ୍କୁ ୬-୨, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ଏହି ମ୍ୟାଚ ୧ ଘଣ୍ଟା ୧୯ ମିନିଟ ଧରି ଚାଲିଥିଲା। ତେବେ ମିଡଲ ଡିଷ୍ଟାନ୍ସ ଧାବକ ଜିନସନ ଜନସନଙ୍କୁ ଭାଗ୍ୟ ସହାୟ ହୋଇ ନ ଥିଲା। ସେ ୩:୪୯.୩୪ ସେକେଣ୍ଡ ଟାଇମିଂରେ ପୁରୁଷ ୧୫୦୦ ମିଟର ଫାଇନାଲରେ ୫ମ ହୋଇଥିଲେ। ଇଭେଣ୍ଟର ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ଯଥାକ୍ରମେ ପୋଲାଣ୍ଡର ରୋଜମିସ୍‌ ମିଚାଲ (୪:୪୬.୩୩ ସେକେଣ୍ଡ), ମରକ୍କୋର ଔଲାଧା ହିଚାମ (୩:୪୬.୪୪) ଏବଂ ପୋଲାଣ୍ଡର ଲିଓ୍ବାନ ଡୋସ୍କି ମାର୍ସିନ (୩:୪୬.୬୧ ସେକେଣ୍ଡ) ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି। ଭାରତର ପୁରୁଷ ୪x୪୦୦ ମିଟର ରିଲେ ଦଳ ୩:୦୬.୮୧ ସେକେଣ୍ଡ ଟାଇମିଂରେ ଚତୁର୍ଥ ସ୍ଥାନ ଅଧିକାର କରି ଅଳ୍ପକେ ପଦକରୁ ବଞ୍ଚତ୍ତ ହୋଇଛି।

Share