ମିଳିତ ଅଭିଯୋଗ ଶୁଣାଣିରେ ଅବ୍ୟବସ୍ଥା

ଛତ୍ରପୁର,୩ା୩(ଡି.ଏନ.ଏ.)

ମାସର ପ୍ରଥମ ସୋମବାର ଛତ୍ରପୁରଠାରେ ଜିଲାପାଳ ଓ ଗଞ୍ଜାମ ଏସ୍‌ପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଉଛି ା କେବଳ ଛତ୍ରପୁର ସବଡିଭିଜନ ନୁହେଁ ଜିଲାର ସମସ୍ତ ଅଞ୍ଚଳରୁ ଲୋକେ ଏହି ଶିବିରକୁ ଆସି ନିଜ ନିଜ ସମସ୍ୟା ଜଣାଇଥାନ୍ତି। ଡିଆରଡିଏର ପୁରାତନ ସମ୍ମିଳନୀ ଗୃହ ଉନ୍ନତୀକରଣ କରାଯାଇ ଗତ ୨ ଥର ହେଲା ସେଠାରେ ଅଭିଯୋଗ ଶୁଣାଣି ଶିବିର ହେଉଛି ା ତେବେ ପୂର୍ବଭଳି ଏଠାକୁ ଆସୁଥିବା ଲୋକଙ୍କୁ ଡିଆରଡିଏ ସମ୍ମିଳନୀ ଗୃହରେ ବସିବାକୁ ଦିଆଯାଉନି। ଫଳରେ ସୋମବାର ଅଭିଯୋଗ ଶୁଣାଣିକୁ ଆସିଥିବା ଲୋକେ ବାହାରେ ଖରାରେ ଦୀର୍ଘ ସମୟ ଧରି ଧାଡ଼ିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ା ପରେ ଡିଆରଡିଏର ସମ୍ମିଳନୀ ଗୃହକୁ ଶତାଧିକ ଲୋକେ ପ୍ରବେଶ କରିଥିଲେ ା ନିଜ ନିଜ ଅଭିଯୋଗପତ୍ର ଓ ସ୍ମାରକପତ୍ର ଦେବାକୁ ସେମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା ା ପରେ ପୋଲିସ ପହଞ୍ଚି ଲୋକଙ୍କୁ ଧାଡିରେ ଭିତରକୁ ଛାଡିଥିଲା। ଭିତରେ ମଧ୍ୟ ସେଭଳି ଠେଲାପେଲା ହୋଇଥିବା ଦେଖାଯାଇଥିଲା। ଅନ୍ୟପକ୍ଷରେ ଜିଲାପାଳ ଏକ ସରକାରୀ ବୈଠକରେ ଯୋଗଦେବାକୁ ଭୁବନେଶ୍ୱର ଯାଇଥିବାବେଳେ ଏସ୍‌ପି ଅନ୍ୟ କାମରେ ବ୍ୟସ୍ତ ଥିବାରୁ ଅଭିଯୋଗ ଶୁଣାଣିରେ ଅନୁପସ୍ଥିତ ରହିଥିଲେ ା ତେଣୁ ଅତିରିକ୍ତ ଜିଲାପାଳ, ଛତ୍ରପୁର ଉପଜିଲାପାଳ ଅଭିଯୋଗ ଶୁଣାଣି କରିଥିଲେ ା ଶିବିରକୁ ମୋଟ ୨୨୦ ଅଭିଯୋଗ ଆସିଥିଲା ା ସେଥିମଧ୍ୟରେ ୨୦୮ଟି ବ୍ୟକ୍ତିଗତ ଓ ୧୨ ସାମୂହିକ ଅଭିଯୋଗ ଥିଲା। ସେଥିମଧ୍ୟରୁ ମାତ୍ର ୨୩ଟିର ତୁରନ୍ତ ସମାଧାନ ହୋଇଛି। ଅନ୍ୟ ଅଭିଯୋଗଗୁଡିକ ଉପରେ ପଦକ୍ଷେପ ନେବାକୁ ବିଭିନ୍ନ ବିଭାଗୀୟ ଅଧିକାରୀ, ବିଡିଓ, ତହସିଲଦାର ଓ ଗଞ୍ଜାମ ଏସ୍‌ପିଙ୍କୁ ପଠାଯିବ ବୋଲି ଜଣାପଡିଛିା ଶିବିରରେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ୨ ଜଣଙ୍କୁ ୨୫ ହଜାର ଟଙ୍କା ଏବଂ ରେଡକ୍ରସ୍‌ରୁ ୩ ଜଣଙ୍କୁ ୧୮ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି।

Share