ମିଳିତ ଗବେଷଣା ପାଇଁ ଆଇଆଇଟି ଓ ଏମ୍‌ସ ମଧ୍ୟରେ ବୁଝାମଣା

ଭୁବନେଶ୍ୱର, ୭ା୧(ବ୍ୟୁରୋ)- ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ଓ ଅଲ୍‌୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (ଏମ୍‌ସ) ମଧ୍ୟରେ ସୋମବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି। ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ସୋମବାର ଭୁବନେଶ୍ୱର ଆସିଥିବାବେଳେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଦୁଇଟି ଶିକ୍ଷାନୁଷ୍ଠାନ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଆଇଆଇଟି ପକ୍ଷରୁ ନିର୍ଦ୍ଦେଶକ ପ୍ରଫେସର ଆର୍‌. ଭି. ରାଜା କୁମାର ଓ ଏମ୍‌ସ ପକ୍ଷରୁ ନିର୍ଦ୍ଦେଶିକା ପ୍ରଫେସର ଗୀତାଞ୍ଜଳି ବାଟ୍‌ମାନାବେନ୍‌ ଏହି ଚୁକ୍ତି ସ୍ବାକ୍ଷରିତ କରିଥିଲେ। ଏହାଦ୍ୱାରା ଦୁଇଟି ଶିକ୍ଷାନୁଷ୍ଠାନର ମିଳିତ ଗବେଷଣା ଏବଂ ଫାକଲ୍‌ଟି ଓ ବୈଜ୍ଞାନିକଙ୍କ ମଧ୍ୟରେ ଏକାଡେମିକ୍‌ ଇଣ୍ଟରାକ୍ସନ କରାଯିବ। ଚୁକ୍ତିର ଅବଧି କାର୍ଯ୍ୟକାରୀ ହେବା ଦିନଠାରୁ ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ରହିବ। ଏହି କାର୍ଯ୍ୟକ୍ରମ ଯଦି ସଫଳ ହୁଏ, ତେବେ ଉଭୟ ଶିକ୍ଷାନୁଷ୍ଠାନ ମଧ୍ୟରେ ଆଲୋଚନା ଓ ନିଷ୍ପତ୍ତି ପରେ ଚୁକ୍ତିର ଅବଧିକୁୁ ବୃଦ୍ଧି କରାଯିବ।

Share