Categories: ଖେଳ

ମିଳିମିଶି କାର୍ଯ୍ୟ କରିବାକୁ ଆଇ-ଲିଗ୍‌ କ୍ଲବ୍‌ଗୁଡିକୁ ଫିଫାର ପରାମର୍ଶ

ନୂଆଦିଲ୍ଲୀ,୮।୮(ପି.ଟି.)- ସବୁ ପ୍ରକାର ସମସ୍ୟାର ସମାଧାନ ପାଇଁ ମିଳିମିଶି କାର୍ଯ୍ୟ କରିବାକୁ ବିଦ୍ରୋହ କରିଥିବା ଆଇ- ଲିଗ୍‌ କ୍ଲବଗୁଡିକୁ ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ପରାମର୍ଶ ଦେଇଛି। କିଛି ବିବାଦ ପାଇଁ ଫୁଟବଲ ଭାରତରେ ସଂଘର୍ଷ କରୁଛି। ଏପରିସ୍ଥଳେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ସହ ବିବେକପୂର୍ଣ୍ଣ ଢ଼ଙ୍ଗ ସହ ଦୂରଦୃଷ୍ଟି ସମ୍ପର୍ନ୍ନ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବାକୁ ଆନ୍ଦୋଳନକାରୀ କ୍ଲବଗୁଡକୁ ଫିଫା ନିର୍ଦ୍ଦେଶ ଦେଇଛି।
ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)କୁ ଟପ୍‌ ଲିଗ୍‌ରେ ସ୍ଥାନ ଦେବା ନେଇ ଏଆଇଏଫ୍‌ଏଫ୍‌ର ନିଷ୍ପତ୍ତିକୁ କ୍ଲବଗୁଡିକ ବିରୋଧ କରିଥିଲେ। ଆଇ- ଲିଗ୍‌ ଚାମ୍ପିୟନ ମିନର୍ଭା ପଞ୍ଜାବ ନେତୃତ୍ୱରେ ୬ଟି କ୍ଲବ ଏ ନେଇ ଆପତ୍ତି ଉଠାଇଥିଲେ। ଭାରତୀୟ ଫୁଟବଲ୍‌କୁ ନେଇ ଏଆଇଏଫ୍‌ଏଫ୍‌ ପ୍ରସ୍ତୁତ କରିଥିବା ରୋଡମ୍ୟାପ୍‌କୁ ଫିଫା ଅବଶ୍ୟ ସମର୍ଥନ କରିଛି। ଏ ସଂକ୍ରାନ୍ତରେ ଫିଫା ମିନର୍ଭା ପଞ୍ଜାବ, ଏଆଇଏଫ୍‌ଏଫ୍‌ ଓ ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି)କୁ ଚିଠି ଲେଖିଛି। ୨୦୧୮ ବର୍ଷ ନେଇ ହୋଇଥିବା ରିଭ୍ୟୁରେ କେତୋଟି ଜଟିଳ ସମସ୍ୟା ଥିବା କଥା ଫିଫା ସ୍ବୀକାର କରିଛି। ୨୦୧୮ ବର୍ଷ ପାଇଁ ଦିଆଯାଇଥିବା ସୁପାରିସ୍‌ଗୁଡିକୁ ଏପର୍ଯ୍ୟନ୍ତ ବିଚାରକୁ ନିଆଯାଇ ନାହିଁ ବୋଲି ଫିଫାର କାର୍ଯ୍ୟକାରୀ ସାଧାରଣ ସମ୍ପାଦକ ମାଟ୍ଟିଆସ୍‌ ଗ୍ରାଫଷ୍ଟୋର୍ମ କହିଛନ୍ତି।
ଜଏଣ୍ଟ ରିପୋର୍ଟ ଅନୁସାରେ ଆଗାମୀ ୨୦୧୯- ୨୦ ସେସନରେ ଆଇଏସ୍‌ଏଲ୍‌ରେ ପର୍ଯ୍ୟାୟ କ୍ରମେ ଆମକୁ ଏକାଠି କରିବାକୁ ଆଇ- ଲିଗ୍‌ କ୍ଲବ୍‌ଗୁଡିକ ଏଆଇଏଫ୍‌ଏଫ୍‌କୁ କହିଥିଲେ। ଏଆଇଏଫ୍‌ଏଫ୍‌ ସବୁ ସମସ୍ୟାର ସମାଧାନ କରିପାରିବ ବୋଲି ଫିଫା ବିଶ୍ୱାସ କରୁଛି। ଆବଶ୍ୟକ ପଡିଲେ ଏ ସଂକ୍ରାନ୍ତରେ ଏଆଇଏଫ୍‌ଏଫ୍‌କୁ ଫିଫା ଓ ଏଏଫ୍‌ସି ସହଯୋଗ କରିବ ବୋଲି କୁହାଯାଇଛି। ଫିଫାର ଏଭଳି ସମୟୋଚିତ ପଦକ୍ଷେପ ତଥା ଆଭିମୁଖ୍ୟକୁ ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ କୁଶଲ ଦାସ ସ୍ବାଗତ କରଛନ୍ତି। ତେବେ ବର୍ତ୍ତମାନ ଆଇଏସ୍‌ଏଲର ଦଳର ସଂଖ୍ୟାକୁ ୧୬କୁ ବୃଦ୍ଧି କରାଯିବା ସମ୍ଭାବନାକୁ ସେ ଏଡାଇ ଦେଇଛନ୍ତି।
ଗତମାସ ଆଗାମୀ ୨-୩ ବର୍ଷ ପାଇଁ ଦୁଇଟି ଲିଗ୍‌ ଚାଲୁ ରଖିବାକୁ ପଟେଲ୍‌ ଏଏଫ୍‌ସିକୁ ପ୍ରସ୍ତାବ ଦେଇଥିବା କଥା ପଟେଲ ଆଇ- ଲିଗ୍‌ କ୍ଲବ୍‌ଗୁଡିକୁ ଅବଗତ କରାଇଥିଲେ। ଏଥିରେ ଅବଶ୍ୟ କ୍ଲବ୍‌ଗୁଡିକ ସନ୍ତୁଷ୍ଟ ହୋଇ ନ ଥିଲେ। ଫିଫା ଓ ଏଏଫ୍‌ସିର ଦ୍ୱାରସ୍ଥ ହେବା ପୂର୍ବରୁ ବିଦ୍ରୋହୀ କ୍ଲବଗୁଡିକ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କ୍ରୀଡ଼ା ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ।

Share