ମିଳିଲାନି କୁକୁର କାମୁଡା ଇଞ୍ଜେକ୍ସନ: ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମାତାପିତାଙ୍କ ଧାରଣା

ଖଇରା, ୫।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୁକୁର କାମୁଡା ଇଞ୍ଜେକ୍ସନ ନ ମିଳିବାରୁ ରଘୁନାଥପୁର ଗ୍ରାମର ସୁଭଦ୍ରା ଲେଙ୍କା ତାଙ୍କ ସ୍ବାମୀ ଏବଂ ଶିଶୁପୁତ୍ର ସହ ଧାରଣାରେ ବସିଥିଲେ ।ପରେ ଦାୟିତ୍ୱରେ ଥିବା ଡାକ୍ତର ଏନୋଲା ଜଗଦେବ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିବା ପରେ ସେମାନେ ଧାରଣାରୁ ଉଠିଥିଲେ । ଗୁରୁବାର ସକାଳେ ସୁଭଦ୍ରାଙ୍କ ୧୦ବର୍ଷର ପୁଅ ପ୍ରଶାନ୍ତଙ୍କୁ ଏକ କୁକୁର କାମୁଡିଥିଲା । ଇଞ୍ଜେକ୍ସନ ପାଇଁ ସୁଭଦ୍ରା ସ୍ବାମୀଙ୍କ ସହ ପୁଅକୁ ନେଇ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ହେଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦାୟିତ୍ୱରେ ଥିବା କର୍ମଚାରୀ ଇଞ୍ଜେକ୍ସନ ନାହିଁ ବୋଲି କହିବା ପରେ ଏଥିରେ ସ୍ତ୍ରୀ, ସ୍ବାମୀ ବିଚଳିତ ହୋଇପଡିଥିଲେ। ବହୁ ଅନୁରୋଧ ପରେ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତ୍‌ପକ୍ଷଙ୍କ ନିକଟରୁ କୌଣସି ସାହାରା ମିଳି ନ ଥିଲା। ପରେ ସେମାନେ ବାଧ୍ୟ ହୋଇ ଧାରଣାରେ ବସିଥିଲେ। ସ୍ଥାନୀୟ ବୁଦ୍ଧିଜୀବୀ ଓ ବ୍ୟବସାୟୀମାନେ ତାଙ୍କୁ ସମର୍ଥନ ଜଣାଇ ଧାରଣାରେ ସାମିଲ ହୋଇଥିଲେ। ସରକାର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ୫ଟି ଲାଗୁ କରିଥିବା ବେଳେ ଇଞ୍ଜେକ୍ସନ ପାଇଁ ଲୋକମାନେ ହଇରାଣ ହେଉଥିବା ଅଭିଯୋଗ ହେଉଛି।