ମିଳିଲାନି ଗୃହରକ୍ଷୀ ଚାକିରି: ଏସ୍‌ପି ଅଫିସ ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋନପୁର,୨୨।୬(ନି.ପ୍ର.): ଗୃହରକ୍ଷୀ ଚାକିରି ନ ମିଳିବାରୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ମାଣିକପୁର ଗ୍ରାମର ଚମୁରୁ ହାତୀଙ୍କ ପୁଅ ଗୁପ୍ତେଶ୍ୱର(୩୨) ଶୁକ୍ରବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୁବର୍ଣ୍ଣପୁର ଜିଲା ପୋଲିସ ଅଫିସ ତଥା ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଗୁପ୍ତେଶ୍ୱର ନିଜ ସ୍ତ୍ରୀ ଓ ଝିଅଙ୍କ ସମ୍ମୁଖରେ କୀଟନାଶକ ପିଇଥିଲେ। ଏହି ସମୟରେ ଏସ୍‌ପି ଦେବୀପ୍ରସାଦ ଦାଶ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ। ସୂଚନା ପାଇ ସୋନପୁର ଥାନା ପୋଲିସ ପିସିଆର ଭ୍ୟାନ୍‌ରେ ଗୁପ୍ତେଶ୍ୱରଙ୍କୁ ଆଣି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ସେ ଚିକିତ୍ସାଧୀନ ଥିଲେ ହେଁ ବିପଦମୁକ୍ତ ଥିବା ଡାକ୍ତର ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ୨୦୦୬ ମସିହାରେ ଗୁପ୍ତେଶ୍ୱର ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିଲେ। କୌଣସି କାରଣରୁ ୨୦୦୭ରେ ତାଙ୍କୁ ଛଟେଇ କରାଯାଇଥିଲା। ପୁନଃ ନିଯୁକ୍ତି ପାଇଁ ସେ ତତ୍କାଳୀନ ଏସ୍‌ପିଙ୍କଠାରୁ ଆରମ୍ଭ କରି ଡିଆଇଜି ଏପରିକି ପୋଲିସ ଡିଜିଙ୍କୁ ଭେଟିଥିଲେ। ଜିଲାରେ ଗୃହରକ୍ଷୀ ଚୟନ ସମୟରେ ଅଗ୍ରାଧିକାର ଦିଆଯିବ ବୋଲି ତାଙ୍କୁ ସେତେବେଳେ ମୌଖିକ ପ୍ରତିଶ୍ରୁତି ମିଳିଥିଲା। ଗୁପ୍ତେଶ୍ୱର ଦିନମଜୁରିଆ ଭାବେ କାମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ଗତ ଡିସେମ୍ବରରେ ଖାଲି ଥିବା ଜିଲାର ୪୫ଟି ଗୃହରକ୍ଷୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଫେବୃୟାରୀରେ ଆବେଦନକାରୀଙ୍କ ଶାରୀରିକ ପରୀକ୍ଷା ଓ ସାକ୍ଷାତକାର ନିଆଯାଇଥିଲା । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆଶାୟୀଙ୍କୁ ନିକଟରେ ନିଯୁକ୍ତି ଦିଆଯାଇଛି । ତାଲିକାରେ ଗୁପ୍ତେଶ୍ୱରଙ୍କ ନାମ ନଥିବାରୁ ସେ ନିରାଶ ହୋଇ ପଡିଥିଲେ। ସେ ଯୋଗ୍ୟ ପ୍ରାର୍ଥୀ ତାଙ୍କୁ ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଥିଲେ। ଏସ୍‌ପିଙ୍କୁ ମଧ୍ୟ ଏଥିପାଇଁ ସାକ୍ଷାତ୍‌ କରିଥିଲେ। ଶୁକ୍ରବାର ବାଇକ୍‌ରେ ନିଜ ସ୍ତ୍ରୀ ରଶ୍ମିତା ଓ ଛୋଟ ଝିଅଙ୍କୁ ଧରି ଏସ୍‌ପିଙ୍କ ଅଫିସ ପରିସରକୁ ଆସିଥିଲେ। ହାତରେ ଏକ କୀଟନାଶକ ଔଷଧ ବୋତଲ ଧରି ବୁଲୁଥିଲେ। କେହି କିଛି ବୁଝିବା ପୂର୍ବରୁ ମାନସିକ ଭାରସାମ୍ୟ ହରାଇ ସେ କୀଟନାଶକ ପିଇ ଦେଇଥିଲେ। ପୋଲିସ ଏହି ଘଟଣାକୁ ସାଧାରଣଭାବେ ନେଉଛି । କିନ୍ତୁ କେଉଁ ପରିସ୍ଥିତିରେ ଗୁପ୍ତେଶ୍ୱର ନିଜ ପରିବାର ଲୋକଙ୍କ ଉପସ୍ଥିତିରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାର ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି।