ମିଳିଲାନି ନ୍ୟାୟ, ନ ଥିଲା ବିଭାଗୀୟ ସହଯୋଗ: ଶେଷରେ ଆଖିବୁଜିଲେ ଯବାନ କୃଷ୍ଣଚନ୍ଦ୍ର

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ମିଳିଲାନି ନ୍ୟାୟ, ନ ଥିଲା ବିଭାଗୀୟ ସହଯୋଗ। ଶେଷରେ ବ୍ରେନ୍‌ ଷ୍ଟ୍ରୋକ୍‌ରେ ଶିକାର ହୋଇ କଟକ ବଡ଼ ମେଡିକାଲର ସେଣ୍ଟ୍ରାଲ ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଯବାନ କୃଷ୍ଣଚନ୍ଦ୍ର ମଲ୍ଲିକ ଆଖିବୁଜିଛନ୍ତି। ପୁଅର ଚିକିତ୍ସା ପାଇଁ ସର୍ବସ୍ବାନ୍ତ ହୋଇଯାଇଥିଲେ। ଏବେ ପୁଅକୁ ହରାଇ ପରିବାର ଲୋକେ ପୂରା ଭାଙ୍ଗି ପଡିଛନ୍ତି। କୃଷ୍ଣଚନ୍ଦ୍ରଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅବହେଳା ନେଇ ଗୃହ ବିଭାଗ ଦେଇଥିବା ତଦନ୍ତ ଉପରେ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ବାପା ଗଙ୍ଗାଧର ମଲ୍ଲିକ ନାନା ପ୍ରଶ୍ନ ଉଠାଇଛନ୍ତି।
କୃଷ୍ଣଚନ୍ଦ୍ରଙ୍କ ଘର କେନ୍ଦୁଝର ଜିଲାରେ ହୋଇଥିବାବେଳେ ସେ ଓଏସ୍‌ଏପି ୨ୟ ବାଟାଲିୟନର ସିପାହି ହାବିଲଦାର ଏସ୍‌-୧୬୪ ଭାବେ ରାଉରକେଲା କାଲ୍‌ଟା ଫାଣ୍ଡିରେ କାର୍ଯ୍ୟ କରୁଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ମାସ ୩ ତାରିଖରେ କୃଷ୍ଣଚନ୍ଦ୍ର ହଠାତ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ନ ଯାଇ ଚଞ୍ଚକତା କରି ଛୁଟି ଦରଖାସ୍ତରେ ତାଙ୍କ ଦସ୍ତଖତ ନିଆଯାଇଥିଲା। ବିଳମ୍ବ ଯୋଗୁ ସେ ବ୍ରେନ୍‌ଷ୍ଟ୍ରୋକ୍‌ରେ ଶିକାର ହୋଇ ଅଚେତ ହୋଇପଡିଥିବାବେଳେ ତାଙ୍କ ପକେଟରେ ଉକ୍ତ ଦରଖାସ୍ତକୁ ପୂରାଇ ଦିଆଯାଇଥିଲା। ୫ଘଣ୍ଟା ପରେ ତାଙ୍କୁ କେତେଜଣ ଯବାନ ଜିଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଛାଡି ପଳାଇଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ କଟକ ବଡ଼ମେଡିକାଲ ଓ ପରେ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବିଭାଗ ପକ୍ଷରୁ ତାଙ୍କୁ କୌଣସି ଆର୍ଥିକ କିମ୍ବା ଚିକିତ୍ସା ସହାୟତା ମିଳି ନ ଥିଲା। ଏପରି କି କୃଷ୍ଣଚନ୍ଦ୍ର ମେଡିକାଲରେ ଚିକିତ୍ସିତ ହେଉଥିଲେ ମଧ୍ୟ କୌଣସି ଅଧିକାରୀ ଆହା ପଦେ କହିବାକୁ ଆସି ନ ଥିଲେ। ପରିବାର ଲୋକେ ଧାର କରଜ ଓ କୁକୁଡ଼ା ବିକ୍ରି କରି ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ଅର୍ଥାଭାବରୁ ତାଙ୍କୁ ପୁଣି କଟକ ସ୍ଥାନାନ୍ତର କରିଥିଲେ। ଘଟଣା ସଂକ୍ରାନ୍ତରେ ବାପା ଗଙ୍ଗାଧର ଓ ଗ୍ରାମର କେତେଜଣ ଲୋକ ଗୃହବିଭାଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ପାଇଁ ଗୃହ ବିଭାଗ ଗତ ୨୬ ତାରିଖରେ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ସରିଥିଲେ ମଧ୍ୟ ଜାଲ୍‌ ଦସ୍ତଖତ ନେଇଥିବା ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଜଣାପଡିଛି।

Share