ମିଳିଲା କରୋନାଭାଇରସ ଠିକ୍‌ ହେବାର ଚିକିତ୍ସା ପଦ୍ଧତି !

ବେଜିଂ,୧୫।୨: ଚାଇନାରେ କରୋନାଭାଇରସରେ ମୃତ୍ୟୁ ସଂଖ୍ୟା ୧,୫୨୩ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲାଣି ୬୬,୪୯୨ରେ। ଏବେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି। କରୋନାଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିଯାଇଥିବା ବେଳେ ଏବେ ଚାଇନାର ସି ଜିନପିଙ୍ଗ ସରକାର ଏହାକୁ ନେଇ ସବୁଠି ନିନ୍ଦାର ପାତ୍ର ପାଲଟିଗଲେଣି। ଇତିମଧ୍ୟରେ ଏବେ ଏମିତି ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଖବର ଆସିଛି କି କରୋନାଭାଇରସ ଠିକ୍‌ କରିବାକୁ ଚାଇନା ସଠିକ୍‌ ଚିକିତ୍ସା ପଦ୍ଧତି ପାଇ ଯାଇଛି। ଦାବି କରାଯାଉଛି କି ଗତବର୍ଷ ଡିସେମ୍ବର ପ୍ରଥମ ସପ୍ତାହରେ ଚାଇନାରେ ଏହି କରୋନାଭାଇରସ ଦେଖାଦେଇଥିବା ବେଳେ ପ୍ରାୟ ଅଢେଇମାସ ପରେ ଏବେ ଚାଇନା ଏହାର ଚିକିତ୍ସା ପଦ୍ଧତି ପାଇଯାଇଛି। ଚାଇନା ଦାବି କରିଛି କି କରୋନାଭାଇରସରେ ସଂକ୍ରମିତ ରୋଗୀ ଯେଉଁମାନେ ସୁସ୍ଥ ହୋଇଯାଉଛନ୍ତି ସେମାନଙ୍କ ଜରିଆରେ ଅନ୍ୟ ସଂକ୍ରମିତଙ୍କୁ ଚିକିତ୍ସା କରାଯାଇ ପାରିବ। ଚାଇନା ଡେଲିରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ପୁଣିଥରେ ଚାଇନାର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବ୍ଲଡ ପ୍ଲାଜମା ଜରିଆରେ ଏହାର ଚିକିତ୍ସା କରାଯିବ ବୋଲି କହିଛି ଚାଇନା। ଏହି ବ୍ଲଡ ପ୍ଲାଜମା ଟ୍ରିଟମେଣ୍ଟ ଉହାନର ୧୦ଜଣ କରୋନାଭାଇରସ ସଂକ୍ରମିତଙ୍କ ପାଖରେ କରାଯାଇଥିବା ବେଳେ ଏମାନେ ସୁସ୍ଥ ହୋଇଥିବା କୁହାଯାଉଛି। ସେମାନଙ୍କ କହିବା କଥା ହେଲା ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ହାଇ ଆଣ୍ଟିବଡି ଥିବାରୁ ଏହା ସଂକ୍ରମିତଙ୍କୁ ଠିକ୍‌ କରିଦେଉଛି।

Share