ମିଳିଲା ସର୍ଫରାଜଙ୍କ ଅଳସୁଆମିର କାରଣ

ମାଞ୍ଚେଷ୍ଟର,୧୭।୬(ଏଏଫ୍‌ପି)- ଭାରତୀୟ ଦଳ ବିଶ୍ୱକପ୍‌ ଇତିହାସରେ ପାକିସ୍ତାନ ଦଳ ବିପକ୍ଷରେ ତା’ର ଅପରାଜେୟ ଧାରା ଜାରି ରଖିବାରେ ସକ୍ଷମ ହୋଇଛି। ଏଭଳି ହାଇଭୋଲ୍ଟେଜ ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ହାଇ ମାରୁଥିବା ନଜରକୁ ଆସିଥିଲା। ଏହାର କାରଣ ଏବେ ପଦାକୁ ଆସିଛି। ଭାରତ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଅଧିନାୟକ ସର୍ଫରାଜଙ୍କ ସମେତ ଅଭିଜ୍ଞ ଖେଳାଳି ଶୋଏବ ମଲିକ ଓ ତାଙ୍କ ସ୍ତ୍ରୀ ତଥା ଭାରତୀୟ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ରାତିରେ କାଫେ ଯାଇଥିଲେ। ଏହାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉକ୍ତ ଫଟୋରେ ସାନିଆ ଓ ମଲିକଙ୍କ ବ୍ୟତୀତ ପାକିସ୍ତାନ ଦଳର ଅନ୍ୟ ଖେଳାଳିମାନେ କାଫେରେ ମଜା କରୁଥିବା ଦେଖିବାକୁ ମିଳିଛି। ଗୋଟିଏ ପକ୍ଷରେ ପାକିସ୍ତାନ ଦଳର ପରାଜୟ ଯୋଗୁ ଖେଳାଳିଙ୍କ ଫିଟ୍‌ନେସ୍‌କୁ ଦାୟୀ କରାଯାଉଥିବାବେଳେ ଓ୍ବିଲ୍ସଲ ରୋଡ୍‌ସ୍ଥିତ ଶିଷା କାଫେରେ ମଜା କରୁଥିବା ଫଟୋ ଓ ଭିଡିଓ ଭାଇରାଲ ହେବା ପ୍ରଶଂସକଙ୍କୁ ଆହୁରି କ୍ଷୁବ୍ଧ କରିଛି। ବିଳମ୍ବିତ ରାତିରେ କାଫେ ଯିବା କାରଣରୁ ଖେଳାଳିଙ୍କୁ ପର୍ଯ୍ୟାପ୍ତ ପରିମାଣର ବିଶ୍ରାମ ମିଳି ନ ଥିଲା।

Share