ମିଳିଲା ୨୫୦୦ ବର୍ଷ ପୁରୁଣା ୩୦ ବହି

ଏଥେନ୍ସ୍‌,୧୨।୨: ଗୀସ୍‌ର ଏଥେନ୍ସ୍‌ରୁ ୨୫୦୦ ବର୍ଷ ପୁରୁଣା ୩୦ଟି ବହି ମିଳିଛି। ସ୍ଥାନୀୟ ଏକ ୩୦ଫୁଟର କୂଅ ମଧ୍ୟରେ ଏଗୁଡ଼ିକ ରହିଥିଲା।  ଏଥିରେ ଅନ୍ୟକୁ କିିଭଳି ଅଭିଶପ୍ତ କରାଯାଇ ପାରିବ ସେ ସମ୍ପର୍କରେ ଉଲ୍ଲେଖ ରହିଛି। ତତ୍‌କାଳୀନ ଗ୍ରୀସ୍‌ ସମାଜରେ ଏଭଳି ଅଭିଶାପ ଦିଆଯିବା ସାମାଜିକ ପରମ୍ପରାର ଅଙ୍ଗ ଥିଲା ବୋଲି ବ୍ରିଟିଶ୍‌ ମିଡ଼ିଆ ପକ୍ଷରୁ ସୂଚନା ଦିଆଯାଇଛି। ଖେଳ, ପ୍ରେମ, ବ୍ୟବସାୟ ତଥା ପଦପଦବୀ ହାସଲ କ୍ଷେତ୍ରରେ ସଫଳତା ଲାଭ କରୁଥିବା ବ୍ୟକ୍ତିଙ୍କୁ ଦିଆଯାଇଥିବା ଅଭିଶାପ ଏହି ବହିରେ ଦର୍ଶାଯାଇଛି। ଏହି ବହି ଗୁଡ଼ିକରେ ଲୋକେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧରେ କେତେକ ନକାରାତ୍ମକ ମନ୍ତବ୍ୟ ଲେଖୁଥିଲେ। ଏହାଦ୍ୱାରା ସେତେବେଳେ ପ୍ରତିଦ୍ୱନ୍ଦୀଙ୍କ ମୃତ୍ୟୁ ହେଉଥିବା କୁହାଯାଉଛି। ଏସବୁ ବହିରେ ଅଭିଶାପ ଦିଆଯାଉଥିବା ବ୍ୟକ୍ତିଙ୍କ ନାମ ଉଲ୍ଲେଖ ହୋଇଥିବାବେଳେ ଅଭିଶାପ ଦେଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ତଥ୍ୟ ନାହିଁ। ଜର୍ମାନୀର ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏହି ବହିଗୁଡ଼ିକ ଉପରେ ଅଧିକ ଅଧ୍ୟୟନ ଜାରି ରହିଛି।

Share