ମିଳୁଛି ଅଧିକ କିନ୍ତୁ ଉତ୍ପାଦନ କମ୍‌

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ଓଡ଼ିଶା ଖଦି ବୋର୍ଡକୁ ଗତ ୪ ବର୍ଷ ମଧ୍ୟରେ ପ୍ରାୟ ୮୬ କୋଟି ଟଙ୍କାରୁ ଅଧିକ ଅର୍ଥ ଆସିଛି। ମାତ୍ର ଏତେ ଟଙ୍କା ମିଳିବା ସତ୍ତ୍ୱେ ବର୍ଷରେ ୪ କୋଟି ଟଙ୍କାର ଖଦି ଉତ୍ପାଦନ ହୋଇପାରୁ ନ ଥିବା ଜଣାପଡିଛି। ଖଦି ବୋର୍ଡର ମୁଖ୍ୟ ବିକ୍ରୟ କେନ୍ଦ୍ରରେ ଖଦି ସୂତା ମଧ୍ୟ ଦେଖିବାକୁ ମିଳୁ ନ ଥିବା ଲକ୍ଷ୍ୟ କରାଯାଉଛି। ଅନ୍ୟ ରାଜ୍ୟରୁ ଖଦି କପଡା ଅଣାଯାଇ ବିକ୍ରି ଚାଲିଛି।
୨୦୧୪-୧୫ଠାରୁ ୨୦୧୭-୧୮ ବର୍ଷ ମଧ୍ୟରେ ରାଜ୍ୟ ସରକାର ଖଦି ବୋର୍ଡକୁ ପ୍ରାୟ ୪୦ କୋଟି ଟଙ୍କା ଯୋଗାଇଥିବା ବେଳେ କେନ୍ଦ୍ର ସରକାରଙ୍କ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ ୪୬ କୋଟିରୁ ଅଧିକ ଟଙ୍କା ଦେଇଛନ୍ତି। ଏହି ଅର୍ଥର ସିଂହଭାଗ କର୍ମଚାରୀମାନଙ୍କ ବେତନ ସହିତ ଅନ୍ୟାନ୍ୟ ପ୍ରଶାସନିକ ଖର୍ଚ୍ଚ ଓ ଗସ୍ତ ଇତ୍ୟାଦି ବାବଦରେ ଖର୍ଚ୍ଚ କରାଯାଉଛି। ରାଜ୍ୟ ସରକାର ବିଭିନ୍ନ ସମୟରେ ପ୍ରଦର୍ଶନୀ ସକାଶେ ୪ବର୍ଷ ମଧ୍ୟରେ ୨୦ ଲକ୍ଷ ଟଙ୍କା ଦେଇଛନ୍ତି। ସରକାରୀ ହିସାବ ଅନୁଯାୟୀ ମହୁ ଚାଷ କରିବା ଲାଗି ଏହି ସମୟ ମଧ୍ୟରେ ୮ କୋଟିରୁ ଅଧିକ ଟଙ୍କା ଆସିଛି। କେନ୍ଦ୍ର ସରକାର ରାଜ୍ୟ ଖଦି ବୋର୍ଡକୁ ଆୟୋଗ ମାଧ୍ୟମରେ ଯେତେ ଅର୍ଥ ଯୋଗାଉଛନ୍ତି ତାହା ମୁଖ୍ୟଭାବେ ପିଏମ୍‌ଜିପି କାର୍ଯ୍ୟକ୍ରମରେ ଉଦ୍ୟୋଗୀଙ୍କୁ ସବ୍‌ସିଡି ଆକାରରେ ପ୍ରଦାନ କରାଯାଉଛି। ୨୦୧୪-୧୫ ଆର୍ଥିକ ବର୍ଷରେ ଏଥିପାଇଁ ପ୍ରାୟ ୧୫ କୋଟି ଟଙ୍କା ଦିଆଯାଇଛି। ୨୦୧୫-୧୬ରେ ୧୪ କୋଟି ଏବଂ ୨୦୧୬-୧୭ରେ ୧୧କୋଟି ୬୧ଲକ୍ଷ ଓ ୨୦୧୭-୧୮ରେ ୧୩ କୋଟି ୪୦ଲକ୍ଷ ଟଙ୍କା ପାଇଛି।
ଏକ ସରକାରୀ ତଥ୍ୟରୁ ମିଳିଥିବା ସୂଚନା ମୁତାବକ, ୨୦୧୪-୧୫ରୁ ୨୦୧୬-୧୭ ମଧ୍ୟରେ ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ସହ ଅନୁବନ୍ଧିତ ଖଦି ସଂସ୍ଥାଗୁଡିକ ୮୪ଲକ୍ଷ ଟଙ୍କାର ସୂତା କାଟିଥିବା ବେଳେ ଏହି ସମୟରେ ୪କୋଟି ୧୫ଲକ୍ଷ ଟଙ୍କାର ଖଦି ସାମଗ୍ରୀ ଉତ୍ପାଦନ କରିଛନ୍ତି। ୩ କୋଟି ଟଙ୍କାରୁ କମ୍‌ ମୂଲ୍ୟର ସାମଗ୍ରୀ ବିକ୍ରି କରିଛନ୍ତି।

Share