ମିଳୁନି ଧାନ ବିକ୍ରି ଟଙ୍କା:ବିଷ ବୋତଲ ଧରି ଧାରଣାରେ ଚାଷୀ

ପଦ୍ମପୁର, ୧୩।୭(ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହୀ ସେବା ସମବାୟ ସମିତିରେ ଧାନବିକ୍ରି କରି ୬ ମାସ ହେଲା ଟଙ୍କା ପାଇନାହାନ୍ତି ଚାଷୀ। ଏହାର ପ୍ରତିବାଦରେ ଚାଷୀମାନେ ବିଷ ବୋତଲ ଧରି ଗୁରୁବାରଠାରୁ ସେବା ସମବାୟ ସମିତି ଆଗରେ ଧାରଣାରେ ବସିରହିଛନ୍ତି। ଦୁଇଦିନ ବିତିଯାଇଥିଲେ ମଧ୍ୟ କୌଣସି ସରକାରୀ ଅଧିକାରୀ ଆନ୍ଦୋଳନକାରୀ ଚାଷୀଙ୍କ ନିକଟରେ ପହଞ୍ଚି ନ ଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ସ୍ଥାନୀୟ ଅଞ୍ଚଳର ଶତାଧିକ ଚାଷୀ ଗତ ଫେବୃୟାରୀ ମାସରୁ ସମିତିକୁ ଧାନ ଦେଇଥିଲେ ମଧ୍ୟ ଏଯାଏ ସେମାନଙ୍କୁ ପ୍ରାପ୍ୟ ମିଳୁ ନାହିଁ। ଟଙ୍କା ପାଇଁ ବାରମ୍ବାର ସମିତିକୁ ଦୌଡ଼ି ନିରାଶ ହେବା ପରେ ସେମାନେ ସମିତି କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଛନ୍ତି। ତୁରନ୍ତ ସେମାନଙ୍କ ଧାନବିକ୍ରି ଟଙ୍କା ନ ପାଇଲେ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ବିଷୟରେ ନାୟକାଣିଡିହୀ ସେବା ସମବାୟ ସମିତିର ସମ୍ପାଦକ ନରହରି ମାଝିଙ୍କୁ ପଚାରିବାରୁ ୧୫୫ ଚାଷୀଙ୍କର ୩୮୫୦ କୁଇଣ୍ଟାଲ ଧାନର ୬୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପାଇବାର ଥିବା ଜଣାପଡ଼ିଛି। ଚାଷୀ ପୀତବାସ ଖିଲାର, କୃପାସିନ୍ଧୁ ବାରିକ, ଅମିୟ ନାୟକ, ଗଦାଧର ସାହୁ, ବୈକୁଣ୍ଠ ପ୍ରଧାନ, ନାରାୟଣ ପ୍ରଧାନ, କୈଳାସ କୁମାର ବଳ ପ୍ରମୁଖ ଧାରଣାରେ ସାମିଲ ହୋଇଛନ୍ତି।