ମିଳୁନି ବୀମା କ୍ଷତିପୂରଣ, ବରଗଡ଼ରେ ଚାଷୀ ଅସନ୍ତୋଷ

ବରଗଡ଼ ଅଫିସ୍‌,୨୨।୭- ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମା କ୍ଷତିପୂରଣ ଠିକ୍‌ ଭାବେ ମିଳୁ ନ ଥିବା ଯୋଗୁ ଚାଷୀ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ଚାଷୀମାନେ ଏ ନେଇ ଜିଲାପାଳଙ୍କୁ ଫେରାଦ ହୋଇ ବିହିତ ପଦକ୍ଷେପ ନେବାକୁ ଦାବି କରି ଆସୁଛନ୍ତି। ଏହି କ୍ରମରେ ସୋମବାର ବରଗଡ଼ ଜିଲା ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ, ଭଟଲି ବ୍ଲକ ଅନ୍ତର୍ଗତ ତରାକନା ଆଦି ଗ୍ରାମର ଚାଷୀମାନେ ଜିଲାପାଳଙ୍କୁ ଫେରାଦ ହୋଇଥିଲେ । ସେମାନେ ଏ ନେଇ ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ପୃଥକଭାବେ ସ୍ମାରକପତ୍ର ପ୍ରଦାନ କରିଥିଲେ।

ସର୍ଗିବାହାଲର ଚାଷୀମାନେ ଅଭିଯୋଗ କରିଛନ୍ତି, ଗତ ୨୦୧୮-୧୯ ଖରିଫରେ ତାଙ୍କ ପଞ୍ଚାୟତରେ ବ୍ୟାପକ ଫସଲକ୍ଷତି ହୋଇଥିଲା। ସେତେବେଳେ ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ ସହିତ କ୍ଷୟକ୍ଷତି ମଧ୍ୟ ଆକଳନ କରିଥିଲେ। ମାତ୍ର ଏବେ ବୀମା କ୍ଷତିପୂରଣ ପ୍ରଦାନ ସମୟରେ ବ୍ୟାପକ ତୃଟି ପରିଲକ୍ଷିତ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତ। ଫଳରେ ପଞ୍ଚାୟତର ଅନେକ ଚାଷୀ ବୀମା କ୍ଷତିପୂରଣ ପାଇବାରୁ ବଞ୍ଚିତ ଥିବା କହିଛନ୍ତି। ନାରାୟଣ ମେହେର, ମୀନକେତନ ସାହୁ, ସରୋଜ କୁମାର ବେହେରା ପ୍ରମୁଖ ସ୍ମାରକପତ୍ର ପ୍ରଦାନ କରିବାକୁ ଆସିଥିଲେ । ସେହିପରି ତରାକନା ଗ୍ରାମକୁ ବୀମା କ୍ଷତିପୂରଣରୁ ସମ୍ପୁର୍ଣ୍ଣ ବାଦ୍‌ ଦିଆଯାଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ୨୦୧୮-୧୯ ଖରିଫରେ ସେମାନଙ୍କ ଗ୍ରାମର ଚାଷୀମାନେ ମଧ୍ୟ ଫସଲକ୍ଷତିର ସମ୍ମୁଖୀନ ହୋଇଥିଲେ ଏବଂ ଫସଲ ସମ୍ପୁର୍ଣ୍ଣ ଉଜୁଡ଼ି ଯାଇଥିଲା । ପ୍ରଭାବିତ ଫସଲ ବୁଲି ଦେଖି ବିଭାଗୀୟ ଅଧିକାରୀମାନେ କ୍ଷୟକ୍ଷତି ମଧ୍ୟ ଆକଳନ କରିଥିଲେ । ମାତ୍ର ତାଙ୍କୁ ଗ୍ରାମକୁ ସମ୍ପୁର୍ଣ୍ଣଭାବେ ବୀମା କ୍ଷତିପୂରଣରୁ ବାଦ୍‌ ଦିଆଯାଇ ଥିବା ଯୋଗୁ ଏହାର ପୁନର୍ବିଚାର ସହିତ ବୀମା କ୍ଷତିପୂରଣ ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।

Share