ମିଳୁନି ମାଗଣା ଔଷଧ, ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ବଇଣ୍ଡା,୨୫ା୧ (ଡି.ଏନ.ଏ.) – କିଶୋରନଗର ବ୍ଲକ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରୋଗୀମାନଙ୍କୁ ମାଗଣା ଔଷଧ ସହ ଠିକ୍‌ ଭାବେ ସେବା ମିଳୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ଏ ନେଇ ବଇଣ୍ଡା ଗ୍ରାମବାସୀ ବାରମ୍ବାର ଜିଲା ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବାବେଳେ ଶୁକ୍ରବାର ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୫୫ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଏହା ଉପରେ ନୁନୁକାପଶି, ଗାଁବଇଣ୍ଡା, ଜାମ୍ବୁନାଳୀ, କଣ୍ଟେଇକୁଳିଆ, ଲୁହାମୁଣ୍ଡା, ପେଡ଼ିପଥର, ସାନହୁଲା, କୁରୁମଟାପ ଆଦି ପଞ୍ଚାୟତର ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଚିକିତ୍ସା ପାଇଁ ନିର୍ଭର କରୁଛନ୍ତି। ହେଲେ ରୋଗୀମାନଙ୍କୁ ଠିକ୍‌ ଭାବେ ସେବା ମିଳିପାରୁ ନାହିଁ। ବହୁ ଗରିବ ରୋଗୀ ମାଗଣା ଔଷଧ, ସାଲାଇନ, ଇଞ୍ଜେକ୍ସନ ପାଇଁ ନିର୍ଭର କରୁଥିଲେ ମଧ୍ୟ ସେମାନଙ୍କୁ ମିଳୁ ନ ଥିବା ଅଭିଯୋଗ ହେଉଛି। ଏଥିସହ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ବ୍ୟାଣ୍ଡେଜ କରିବା ପାଇଁ ଗଜ, କପଡ଼ା, ତୁଳା ନ ଥିବାବେଳେ ବାହାର ଔଷଧ ଦୋକାନରୁ କିଣିକି ଆଣିବା ପାଇଁ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଉଥିବା କେତେକ ରୋଗୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଔଷଧ ସହ ସମସ୍ତ ସାମଗ୍ରୀ ଯୋଗାଇଦେବା ପାଇଁ ଗ୍ରାମର ଜଳଧର ସାହୁ, ଗିରିଶଚନ୍ଦ୍ର ବେହେରା, ରମେଶ କୁମାର ଟିବ୍ରୁଓ୍ବାଲା, ଭଗବାନ ଘିଓ୍ବାଲା, ଦୀପକ ବେହେରା ପ୍ରମୁଖ ଦାବି କରିଛନ୍ତି। ଏ ନେଇ ଆଠମଲ୍ଲିକ ସିଡିଏମ୍‌ଓ ସୁନୀଲ କୁମାର ପଣ୍ଡା କୁହନ୍ତି, ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଔଷଧ ଓ ସାମଗ୍ରୀ ଯୋଗାଇଦେବା ପାଇଁ ସ୍ବାସ୍ଥ୍ୟବିଭାଗକୁ ଅବଗତ କରାଯିବ।

Share