ମିଳୁନି ରୋଜଗାରର ଆଶା ଭରସା

ବଅଁରପାଳ, ୧୫ା୫(ଡି.ଏନ.ଏ.) – ଲକ୍‌ଡାଉନ ଯୋଗୁ ପ୍ରଭାବିତ ହୋଇଛି ଜୀବନ ଜୀବିକା। ବିଶେଷକରି ଖଟିଖିଆ ଦିନମଜୁରିଆମାନେ ରୋଜଗାର ହରାଇ ବସିଛନ୍ତି। ସବୁଠି ତାଲା ବନ୍ଦ ଯୋଗୁ ସେମାନଙ୍କ ହାତରେ କାମ ନାହିଁ। ଏପରି ଅବସ୍ଥାରେ ପରିବାର କେମିତି ଚଳିବ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ଅନୁଗୋଳ ଜିଲା ବଅଁରପାଳ ବ୍ଲକ ବସଲା ହଟିଂ ଓ ଟାକିଂ ହଟିଂରେ ବାସ କରୁଥିବା ଶତାଧିକ ଶ୍ରମିକ ପରିବାର। କେବେ କାମ ମିଳିବ ଓ ଭଲ ଦିନ ଫେରିବ ତାହାକୁ ଅପେକ୍ଷା କରି ଘରେ ବସିଛନ୍ତି ସେମାନେ।
ହଟିଂରେ ରହୁଥିବା ପ୍ରାୟ ୫ ଶହ ଶ୍ରମିକ ସ୍ଥାନୀୟ ପ୍ରକଳ୍ପଗୁଡିକ ସହ ବିଭିନ୍ନ ସ୍ଥାନରେ କାମ କରିଥାନ୍ତି। ହେଲେ ପାଖାପାଖି ୨ ମାସର ଲକ୍‌ଡାଉନ ଏହି ଶ୍ରମିକମାନଙ୍କ ଜୀବନକୁ ଏକପ୍ରକାର ଦୁର୍ବିସହ କରିଦେଇଛି। ପୂର୍ବରୁ ଯାହା ଯେତିକି ରୋଜଗାର ହେଉଥିଲା ସେତକ ଏବେ ବନ୍ଦ ହୋଇଯାଇଛି। ଏବେ ସବୁ ବନ୍ଦ ପଡ଼ିଥିବାରୁ ରୋଜଗାରର ଆଶା ଭରସା କେଉଁଠାରେ ଦେଖାଯାଉନି। ସରକାରଙ୍କ ପକ୍ଷରୁ ମିଳିଥିବା କେଇ କିଲୋ ଚାଉଳ ହିଁ ଏବେ ପରିବାରର ଏକମାତ୍ର ପୁଞ୍ଜି ବୋଲି ଶ୍ରମିକମାନେ ପ୍ରକାଶ କରିଛନ୍ତି। ବସଲା ହଟିଂରେ ରହୁଥିବା ଠିକା ଶ୍ରମିକ କୁମୁଦିନୀ ନାଗ କହିଛନ୍ତି, ଦୀର୍ଘ ବର୍ଷ ହେଲା ସେ ଶ୍ରମିକ ଭାବେ କାର୍ଯ୍ୟ କରିଆସୁଛନ୍ତି। ହେଲେ କରୋନା ରୋଜଗାର ଛଡାଇ ନେଇଥିବାରୁ ବହୁ ଦୁଃଖ କଷ୍ଟରେ ଚଳିବାକୁ ପଡ଼ୁଛି। କେବେ ସବୁକିଛି ସ୍ବାଭାବିକ ହେବ ତାହାକୁ ଅପେକ୍ଷା କରି ରହିଛନ୍ତି। ଠିକା ଶ୍ରମିକ ଭଜମନ ନାୟକ ଓ ମାଇନା ସୋରେନ କହିଛନ୍ତି, ପ୍ଲାଣ୍ଟ ଓ ବିଭିନ୍ନ ଗ୍ରାମାଞ୍ଚଳରେ କାମ କରି ପରିବାର ପ୍ରତିପୋଷଣ କରୁଥିଲୁ। ଲକ୍‌ଡାଉନ ହେବା ପରଠାରୁ କାମ ମିଳୁନି। କେମିତି ଦିନକୁ ଦୁଇମୁଠା ଖାଇବୁ ସେହି ଚିନ୍ତା ଘାରୁଛି। ସରକାରଙ୍କ ପକ୍ଷରୁ ମିଳିଥିବା ଚାଉଳରେ ଯାହା ଯେମିତି ପେଟପୂରୁଛି। ଅସୁବିଧା ପ୍ରତି ସରକାର ଦୃଷ୍ଟି ଦେବାକୁ ଶ୍ରମିକମାନେ ନିବେଦନ କରିଛନ୍ତି।

Share