‘ମିଶନ ବିୟୁଟି ସିଟି’ ତ୍ୱରାନ୍ବିତ: ଓଟି ରୋଡ୍‌ରୁ ହଟିଲା ଜବରଦଖଲ

ବାଲେଶ୍ୱର ଅଫିସ, ୯।୮-ବାଲେଶ୍ୱର ସହରରେ ବିଭିନ୍ନ ସ୍ଥାନରେ ଜବରଦଖଲ ଓ ହୋର୍ଡ଼ିଂ ଉଚ୍ଛେଦ ଗତ ଜୁଲାଇ ୨୨ତାରିଖରୁ ଆରମ୍ଭ ହୋଇଥିବା ବେଳେ ଗୁରୁବାର ପୂର୍ବାହ୍ନ ୧୧ଟାରେ ରେମୁଣା ତହସିଲଦାର ସଞ୍ଜୟ କୁମାର ରାଉତଙ୍କ ତତ୍ତ୍ୱାବଧାନରେ ଓଟି ରୋଡ୍‌ର ତାମୁଳିଆ ଫାଟକଠାରୁ ଲକ୍ଷ୍ମୀନାରାୟଣ ମନ୍ଦିର ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରାଯାଇଛି। ୨ଟି ପକ୍କା ଘର, ୭ଟି ଝୁମ୍ପୁଡ଼ି ଘର ସମେତ ଘରୋଇ ହୋଟେଲ ପରିସରରେ ଥିବା ଜବରଦଖଲ ଉଚ୍ଛେଦ କରାଯାଇଛି। ଏପରିକି ଲକ୍ଷ୍ମୀନାରାୟଣ ମନ୍ଦିର ପାଚେରି ମଧ୍ୟ ଭଙ୍ଗାଯିବାର ଜଣାପଡ଼ିଛି।
ମିଶନ ‘ବିୟୁଟି ସିଟି’କୁ ତ୍ୱରାନ୍ବିତ କରି ସହରକୁ ସରସ ସୁନ୍ଦର ଏବଂ ଟ୍ରାଫିକ୍‌ ଜାମ୍‌ରୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଓଟି ରୋଡ୍‌୍‌ରେ ତାମୁଳିଆ ଗେଟ୍‌ଠାରୁ ଆରମ୍ଭ କରି ଆଇଟିଆଇ ଛକ, ପୋଲିସ ଲାଇନ୍‌ ଛକ, ଷ୍ଟେସନ ଛକ, ଫକୀରମୋହନ ଗୋଲେଇ, ସହଦେବଖୁଣ୍ଟା ଏବଂ ରେମୁଣା ଗୋଲେଇ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରାଯିବାର ଯୋଜନା ରହିଥିବାର ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ପ୍ରଶସ୍ତ ରାସ୍ତା ପାଇଁ ୪୫ଟି ଗଛକୁ କଟାଯିବାର ମଧ୍ୟ ଚିହ୍ନଟ କରାଯାଇଛି। ଏହା ଯଥାଶୀଘ୍ର ଆରମ୍ଭ କରାଯିବ। ଜବରଦଖଲ ଉଚ୍ଛେଦ ବେଳେ ସଦର ଥାନା ଆଇଆଇସି ମମତା ସାହୁ, ଟ୍ରାଫିକ୍‌ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ରଣସିଂଙ୍କ ସମେତ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।

Share