‘ମିଶନ ମଙ୍ଗଲ’ରେ ନିଥ୍ୟା ମେନନଙ୍କ ପଦାର୍ପଣ

ମୁମ୍ବାଇ: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନିଥ୍ୟା ମେନନ୍‌ ‘ମିଶନ ମଙ୍ଗଲ’ରେ ଅଭିନୟ କରି ବେଶ୍‌ ଖୁସି ଅନୁଭବ କରିଛନ୍ତି। ଏହି ଫିଲ୍ମରେ ଡେବ୍ୟୁ କରି ସେ ବଲିଉଡ ଅଭିନେତ୍ରୀର ମାନ୍ୟତା ପାଇଛନ୍ତି। ଏଥିରେ ମୁଖ୍ୟ ଚରିତ୍ରରେ ଅକ୍ଷୟ କୁମାର, ବିଦ୍ୟା ବାଲାନ, ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ ଏବଂ କୀର୍ତ୍ତି କୁହ୍ଲାରି ଅଭିନୟ କରିଛନ୍ତି। ଜଗନ୍‌ ଶକ୍ତିଙ୍କ ନିର୍ଦ୍ଦେଶିତ ‘ମିଶନ୍‌ ମଙ୍ଗଲ’ ଚଳିତ ସପ୍ତାହ ଶେଷଭାଗରେ ରିଲିଜ ହେବାକୁ ଯାଉଛି। ନିଥ୍ୟା ଜଣେ ସାମ୍ବାଦିକ ହେବାକୁ ଚାହିଁଥିଲେ ହେଁ ପରବର୍ତ୍ତୀ ପରିସ୍ଥିତିରେ ସିନେମା ଦୁନିଆରେ ପାଦ ଦେଇଥିଲେ। ତେବେ ଏଥିପାଇଁ ନିଜ ମାତାପିତାଙ୍କୁ ପ୍ରବର୍ତ୍ତାଇବା ଲାଗି ସେ ଖୁବ୍‌ କଷ୍ଟସ୍ବୀକାର କରିଥିବା କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ନିଥ୍ୟା କହିଛନ୍ତି, ଫିଲ୍ମର ସଫଳତା ଉପରେ ଗୁରୁତ୍ୱ ଦେଲେ ଜଣେ ଭଲ ଅଭିନୟ କରିପାରିବ। କିନ୍ତୁ କାହାଣୀର ଚରିତ୍ର ଅପେକ୍ଷା ଜଣେ କଳାକାର ନିଜକୁ ବଡ଼ ମନେକଲେ ଫିଲ୍ମ ମାମୁଲି ହୋଇଯିବ। ଏଥିପାଇଁ ଫିଲ୍ମର ଚରିତ୍ର ଓ କଳାକାର ମଧ୍ୟରେ ଭାରସାମ୍ୟ ରହିବ ନାହିଁ। ତେଣୁ ଜଣେ କଳାକାର କାହାଣୀକୁ ଆଧାର କରି ଚରିତ୍ର ଉପଯୋଗୀ ଅଭିନୟ କରିବା ଆବଶ୍ୟକ ବୋଲି ନିଥ୍ୟା ପ୍ରକାଶ କରିଛନ୍ତି।

Share