Categories: ବାଣିଜ୍ୟ

ମିଶିଯିବେ ସାଧାରଣ ବୀମା କମ୍ପାନୀ

ନୂଆଦିଲ୍ଲୀ,୨୪।୬: କେନ୍ଦ୍ର ସରକାର ସାଧାରଣ ବୀମା କମ୍ପାନୀଙ୍କୁ ମିଶାଇ ଦେବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି। ଏନେଇ ବିଚାରବିମର୍ଶ ଚାଲିଛି। ସରକାର ଏ ଦିଗରେ ବିଭିନ୍ନ ବିକଳ୍ପ ଉପରେ ବିଚାର କରୁଛନ୍ତି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ସମସ୍ତ ରାଷ୍ଟ୍ରାୟତ୍ତ ସାଧାରଣ ବୀମା କମ୍ପାନୀଙ୍କୁ ନ୍ୟୁ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ ସହ ମିଶାଇ ଦେବାକୁ ଚାହୁଁଛନ୍ତି। ଏହାଦ୍ୱାରା ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ଭଳି ଏକ ବିଶାଳ ବୀମା କମ୍ପାନୀ ଗଠନ କରିବା ମୂଳ ଲକ୍ଷ୍ୟ ରହିଛି। ତେବେ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ନିବେଶ ଏବଂ ଲୋକ ସମ୍ପତ୍ତି ପରିଚାଳନା ବିଭାଗ(ଦୀପମ୍‌) ଅନ୍ୟ ବିକଳ୍ପ ଉପରେ ମଧ୍ୟ ବିଚାର କରୁଛି। ନ୍ୟାଶନାଲ ଇନ୍‌ସ୍ୟୁରାନ୍ସ କମ୍ପାନୀ, ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସ କମ୍ପାନୀ ଏବଂ ୟୁନାଇଟେଡ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀର ଅଂଶଧନକୁ ବିକ୍ରି କରିବାର ବିକଳ୍ପ ରହିଛି। ରାଷ୍ଟ୍ରାୟତ୍ତ ସାଧାରଣ ବୀମା କମ୍ପାନୀଙ୍କ ଅଂଶଧନ ବିକ୍ରିକୁ ଦ୍ରୁତତର କରିବା ଲାଗି ସରକାର ଚାହୁଁଛନ୍ତି। କାରଣ ଗତ ୨ ବର୍ଷ ହେଲା ବିକ୍ରି ନିଷ୍ପତ୍ତି ଝୁଲି ରହିଛି। ଏହାବ୍ୟତୀତ ଅନ୍ୟ କେତେକ ବିକଳ୍ପକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ନୂଆ ଶେୟାର ଜାରି କରିବା ଏଭଳି ଏକ ବିକଳ୍ପ ରହିଛି, ଯାହାକୁ ନ୍ୟୁ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କିଣିପାରିବ। ଅଥବା ଏହାକୁ ସରକାର ସିଧାସଳଖ ଶେୟାର ବିକ୍ରି କରିବେ। ସେହିପରି ୪ ସାଧାରଣ ବୀମା କମ୍ପାନୀଙ୍କୁ ମିଶାଇ ଦେଇ ଏଲ୍‌ଆଇସି ଭଳି ଏକ ବୃହତ କମ୍ପାନୀ ଗଢ଼ି ସରକାର ଏଥିରେ ଥିବା ନିଜର ଶେୟାରକୁ ବିକ୍ରି କରିଦେବେ। ଏଥିପାଇଁ ୟର୍ନେଷ୍ଟ ଆଣ୍ଡ ୟଙ୍ଗକୁ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ସୂଚନାଥାଉ କି, ସାଧାରଣ ବୀମା କମ୍ପାନୀଗୁଡ଼ିକୁ ଏକୀକରଣ କରିବା ସରକାରଙ୍କ ପୁଞ୍ଜିପ୍ରତ୍ୟାହାରର ଏକ ରଣନୀତି ଭାବେ ଧରାଯାଇଛି। ୨୦୧୭ରେ ସରକାର ନ୍ୟୁ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ ଏବଂ ଜେନେରାଲ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆର ଶେୟାରକୁ ବଜାରରେ ତାଲିକାଭୁକ୍ତ କରିଥିଲେ। ଏହି ବିକ୍ରିରୁ ସରକାରୀ କୋଷାଗାରକୁ ପାଣ୍ଠି ଆସିଥିଲା। ସୂଚନାଯୋଗ୍ୟ ଯେ, ଆର୍ଥିକ ବର୍ଷ ୨୦୧୯-୨୦ ଲାଗି ସରକାର ପୁଞ୍ଜି ପ୍ରତ୍ୟାହାରରୁ ୯୦ ହଜାର କୋଟି ଟଙ୍କା ଆଦାୟ କରିବାର ଲକ୍ଷ୍ୟ ହାସଲ କରିଛନ୍ତି।

Share