ମିଶିଲା କାଳିଆ-ପିଏମ୍‌ କିଷାନ ଯୋଜନା

ଭୁବନେଶ୍ୱର,୬।୧୨ (ବ୍ୟୁରୋ):ରାଜ୍ୟ ସରକାର କାଳିଆ ଯୋଜନାରେ ଲୋକମାନଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିସାରିଥିବା ବେଳେ ଏବେ ଦ୍ୱିତୀୟ କିସ୍ତି ପ୍ରଦାନ କରୁଛନ୍ତି। ତେବେ କାଳିଆ ଯୋଜନା ଆରମ୍ଭ ହେବା ପରେ କେନ୍ଦ୍ର ସରକାର ପିଏମ୍‌ କିଷାନ ଯୋଜନା ଚାଷୀଙ୍କ ପାଇଁ ଆରମ୍ଭ କରିଥିଲେ। ଏହି ଯୋଜନାରେ କେନ୍ଦ୍ର ସରକାର ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ। ମାତ୍ର କେନ୍ଦ୍ରର ପିଏମ୍‌ କିଷାନ ଯୋଜନାକୁ ଓଡ଼ିଶା ସରକାର ଗ୍ରହଣ କରି ନ ଥିଲେ। ଏଥିସହିତ ଚାଷୀଙ୍କ ତାଲିକା ମଧ୍ୟ ପ୍ରଦାନ କଲେନାହିଁ। ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସବୁବେଳେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳୁଥିଲା। ହେଲେ କାଳିଆ ଏବଂ ପିଏମ୍‌ କିଷାନ ଯୋଜନାକୁ ମିଶାଇଦେବା ପାଇଁ ଗତ ବିଧାନସଭା ଚାଲିଥିବା ସମୟରେ ବସିଥିବା କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ଜଣାପଡ଼ିଛି। ଏ କଥାକୁ ଖୋଦ୍‌ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ମଧ୍ୟ ସ୍ବୀକାର କରି କହିଛନ୍ତି, କାଳିଆ ଏବଂ ପିଏମ୍‌ କିଷାନର ମିଶ୍ରଣ ହେବ। କାଳିଆ ଚାଲିବ। ବହୁତ ଲୋକଙ୍କୁ କାଳିଆର ଦ୍ୱିତୀୟ କିସ୍ତି ମିଳିଥିବା ବେଳେ ଏଥର ଅଧିକ ଲୋକଙ୍କୁ ଦିଆଯାଉଛି। ଆସନ୍ତା ଆର୍ଥିକ ବର୍ଷରୁ ଏହା ଲାଗୁ କରାଯିବ। ଏନେଇ ନିୟମାବଳୀ ପ୍ରସ୍ତୁତ ଚାଲିଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। କାଳିଆ ଯୋଜନାରେ ବର୍ଷକୁ ଚାଷୀ ୧୦ହଜାର ଟଙ୍କା ପାଉଥିଲେ। ପିଏମ୍‌ କିଷାନ ଯୋଜନାରେ ୬ ହଜାର ଟଙ୍କା ପାଉଥିଲେ। ମାତ୍ର ଆଗକୁ ଦୁଇଟି ଯୋଜନା ମିଶି କାର୍ଯ୍ୟକାରୀ ହେବା ପରେ ଚାଷୀଙ୍କୁ ୧୬ ନୁହେଁ ବରଂ ୧୦ ହଜାର ଟଙ୍କା ବର୍ଷକୁ ମିଳିବ। କେନ୍ଦ୍ର ୬ ହଜାର ଏବଂ ରାଜ୍ୟ ୪ ହଜାର ଟଙ୍କା ପ୍ରଦାନ କରିବେ। ଏହାଦ୍ୱାରା ରାଜ୍ୟ ରାଜକୋଷ ଉପରେ ଚାପ କମିବ ବୋଲି କୁହାଯାଉଛି। ତେବେ କେତେଗୁଡିଏ ପ୍ରସଙ୍ଗରେ ସମସ୍ୟା ଥିବାରୁ ନିୟମାବଳୀ ପ୍ରସ୍ତୁତିରେ ବିଳମ୍ବ ହେଉଥିବା ଶୁଣିବାକୁ ମିଳୁଛି। ଯଦି ଦୁଇଟି ଯାକ ଯୋଜନା ମିଶିଯାଏ ତେବେ ଯୋଜନାର ନାମ କ’ଣ ରହିବ ଏବଂ କାଳିଆରେ ଭୂମିହୀନ ଏବଂ ଶ୍ରମିକଙ୍କୁ ସାମିଲ କରାଯାଇଛି ମାତ୍ର ପିଏମ୍‌ କିଷାନ ଯୋଜନାରେ ସେମାନଙ୍କୁ ଟଙ୍କା ମିଳିବାର ବ୍ୟବସ୍ଥା ନାହିଁ। ଅନ୍ୟପକ୍ଷରେ ଯେଉଁ ଚାଷୀମାନେ ଦୁଇଟି କିସ୍ତି ପାଇଛନ୍ତି ସେମାନଙ୍କ କ୍ଷେତ୍ରରେ କେମିତି ସବୁ ଚିହ୍ନଟ ହେବ ସେନେଇ ସାଧାରଣରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଯାଇଛି।

Share