‘ମିଷ୍ଟର୍‌ ଆଣ୍ଡ୍‌ ମିସ୍‌ ଇଣ୍ଡିଆ ଚାର୍ମିଂ ଫେସ୍‌’:ରାଜେଶ ପ୍ରଥମ ଓଡ଼ିଆ ଆଞ୍ଚଳିକ ନିର୍ଦ୍ଦେଶକ

ଭୁବନେଶ୍ୱର,୪-୯(ବ୍ୟୁରୋ):ବିଶ୍ୱର ଜଣାଶୁଣା ବିଉଟି ପାଜେଣ୍ଟ୍‌ ‘ମିଷ୍ଟର୍‌ ଆଣ୍ଡ୍‌ ମିସ୍‌ ଚାର୍ମିଂ ଫେସ୍‌’ର ୩ୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥିପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସନ୍ତା ଅକ୍ଟୋବର ୧୩ରେ ଗୋଆରେ ଏହାର ଗ୍ରାଣ୍ଡ୍‌ ଫିନାଲେ ଅନୁଷ୍ଠିତ ହେବ। ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଜଣେ ଓଡ଼ିଆଙ୍କୁ ‘ମିଷ୍ଟର୍‌ ଆଣ୍ଡ୍‌ ମିସ୍‌ ଇଣ୍ଡିଆସ୍‌ ଚାର୍ମିଂ ଫେସ୍‌’ର ଆଞ୍ଚଳିକ ନିର୍ଦ୍ଦେଶକଭାବେ ଦାୟିତ୍ୱ ଦିଆଯାଇଛି। ମିସ୍‌ ଇଣ୍ଡିଆ ଚାର୍ମିଂ ଫେସ୍‌ରେ ଓଡ଼ିଶାରୁ ଆଞ୍ଚଳିକ ନିର୍ଦ୍ଦେଶକ ଭାବେ ମନୋନୀତ ହୋଇଛନ୍ତି ରାଜେଶ ରଞ୍ଜନ ମହାନ୍ତି। ରାଜେଶଙ୍କ ଉପସ୍ଥିତି ଜାତୀୟସ୍ତରରେ ଓଡ଼ିଶାକୁ ଗୌରବାନ୍ବିତ କରିବାସହ ଚଳିତବର୍ଷ ରାଜ୍ୟ ପାଇଁ ମଧ୍ୟ ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଏକ ନୂଆ ଆଶା ସୃଷ୍ଟି କରିଛି।
ଇଣ୍ଡିଆସ୍‌ ଚାର୍ମିଂ ଫେସ୍‌ ୨୦୧୯’ର ଓଡ଼ିଶା ଅଡିଶନ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏବେ ଅନଲାଇନ୍‌ ରେଜିଷ୍ଟ୍ରେଶନ ସହ ଅନ୍‌ଲାଇନ ଅଡିଶନ୍‌ ଚାଲିଛି। ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ଅନଲାଇନ୍‌ ଅଡିଶନ ଚାଲିବ ଏବଂ ‘ଇଣ୍ଡିଆସ୍‌ ଚାର୍ମିଂ ଫେସ୍‌- ଓଡ଼ିଶା ୨୦୧୯’ ପାଇଁ ସେପ୍ଟେମ୍ବର ୩୦ ତାରିଖରୁ ୩ ଦିନ ବ୍ୟାପୀ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ। ଅନଲାଇନ୍‌ ଅଡିଶନରେ ମନୋନୀତ ହୋଇଥିବା ୫୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୧୫ଜଣଙ୍କୁ ଗ୍ରାଣ୍ଡ୍‌ ଫିନାଲେ ପାଇଁ ମନୋନୀତ କରାଯିବ। ୧୫ଜଣଙ୍କ ମଧ୍ୟରୁ ଶ୍ରେଷ୍ଠ ୫ଜଣ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଜାତୀୟସ୍ତରରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ। ଓଡ଼ିଶାରୁ ବହୁ ପ୍ରତିଭା ବିଗତ କିଛିବର୍ଷ ମଧ୍ୟରେ ବିଉଟି ପାଜେଣ୍ଟ୍‌ କ୍ଷେତ୍ରରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିଥିବାରୁ ‘ମିଷ୍ଟର୍‌ ଆଣ୍ଡ୍‌ ମିସ୍‌ ଇଣ୍ଡିଆସ୍‌ ଚାର୍ମିଂ ଫେସ୍‌’ରେ ଭଲ ପ୍ରଦର୍ଶନ କରିବାକୁ ଓଡ଼ିଶା ପାଇଁ ବିପୁଳ ସୁଯୋଗ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଏଥର ପ୍ରଥମଥର ପାଇଁ ଜଣେ ଓଡ଼ିଆଙ୍କୁ ରିଜିଓନାଲ ଡାଇରେକ୍ଟର ଭାବେ ନିଯୁକ୍ତ କରାଯାଇଥିବାରୁ ରାଜ୍ୟ ପାଇଁ ଆଶା ସୃଷ୍ଟି ହୋଇଛି। ପୁରୀ ଜନ୍ମିତ ରାଜେଶ ଜଣେ କମ୍ୟୁନିକେଶନ ପ୍ରଫେଶନାଲ ଭାବେ କାର୍ଯ୍ୟ କରୁଥିବା ବେଳେ ଏକାଧିକ ଡକ୍ୟୁମେଣ୍ଟାରୀ, ଆଡ୍‌ ଫିଲ୍ମ, କର୍ପୋରେଟ୍‌ ଫିଲ୍ମ ଏବଂ ମ୍ୟୁଜିକ୍‌ ଭିଡିଓ ତିଆରି କରି ସୁନାମ ଅର୍ଜିଛନ୍ତି।