‘ମିଷ୍ଟର କହ୍ନେୟା’ ପୋଷ୍ଟର ବିବାଦ: ପ୍ରଯୋଜକଙ୍କୁ ନୋଟିସ

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରରକୁ ନେଇ ବିବାଦ ଲାଗିରହିଛି। ଫିଲ୍ମ ପ୍ରଯୋଜକ ସୀତାରାମ ଅଗ୍ରଓ୍ବାଲଙ୍କୁ ମଙ୍ଗଳବାର ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ନୋଟିସ ଜାରି କରାଯାଇଛି।
ପ୍ରକାଶ ଯେ, ଉକ୍ତ ଫିଲ୍ମର ପୋଷ୍ଟରରେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ଆଗାମୀ ଗଣେଶ ପୂଜାରେ ରିଲିଜ ହେବାକୁ ଥିବା ସିଦ୍ଧାର୍ଥ ମ୍ୟୁଜିକ୍‌ର ଏହି ଫିଲ୍ମ ପୋଷ୍ଟରକୁ ନେଇ ବିବାଦ ମୁଣ୍ଡ ଟେକିଛି। ଉକ୍ତ ପୋଷ୍ଟରରେ ୭ଜଣ ଯୁବତୀ ଘୋଡ଼ା ଭଳି ଆଣ୍ଠେଇଥିବାବେଳେ ପପୁ ରଥର ସାରଥି ଭଳି ଗୋଟିଏ ହାତରେ ଲଗାମ ଓ ଅନ୍ୟ ହାତରେ ଚକ୍ର ଧରି ପୋଜ ଦେଇଛନ୍ତି। ଏଭଳି ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବହୁ ସାମାଜିକ ଅନୁଷ୍ଠାନ ଓ ମହିଳା ସଙ୍ଗଠନ ଏହାକୁ ବନ୍ଦ କରିବା ସହ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସମାଜସେବୀ ଲିଙ୍କନ ସୁବୁଦ୍ଧି ଏନେଇ ମହିଳା କମିଶନ ଓ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଛନ୍ତି। ମହିଳା ଥାନା ପୋଲିସ ଆଇପିସି ଦଫା ୬ ଲଗାଇ ପ୍ରଯୋଜକ ସଂସ୍ଥା ନାଁରେ ମାମଲା (ନଂ.୮୯/୧୯) ରୁଜୁ କରିଛି।

Share