‘ମିସେସ୍‌ ଇଣ୍ଡିଆ ୟୁନିଭର୍ସ ୨୦୧୯’: ପ୍ଲାଟିନମ୍‌ ବର୍ଗରେ ୱାର୍ଲଡ୍‌ ଟାଇଟଲ ଜିତିଲେ ସୋନାଲୀ

ଭୁବନେଶ୍ୱର, ୧୧ା୧୨(ବ୍ୟୁରୋ):‘ମିସେସ ଇଣ୍ଡିଆ ୟୁନିଭର୍ସ ୨୦୧୯’ ଗ୍ରାଣ୍ଡ୍‌ ଫିନାଲେର ପ୍ଲାଟିନମ୍‌ ବର୍ଗରେ ଓଡ଼ିଆ ମହିଳା ସୋନାଲୀ ରାଜ୍‌ ମହାନ୍ତି ‘ମିସେସ ଇଣ୍ଡିଆ ୟୁନିଭର୍ସ ୨୦୧୯’ ୱାର୍ଲଡ୍‌ ଟାଇଟଲ ହେତେଇଛନ୍ତି। ତୁଷାର ଧଲିୱାଲ ଏବଂ ଅର୍ଚ୍ଚନା ତୋମାରଙ୍କ ଦ୍ୱାରା ମରିସସ୍‌ଠାରେ ଆୟୋଜିତ ଏହି ଜାତୀୟସ୍ତରୀୟ ପାଜେଣ୍ଟର ଟ୍ୟାଲେଣ୍ଟ ରାଉଣ୍ଡରେ ସୋନାଲୀ ‘ମିସେସ୍‌ ଟ୍ୟାଲେଣ୍ଟ’ ଟାଇଟଲ ମଧ୍ୟ ହାସଲ କରିଛନ୍ତି। ‘ମିସେସ୍‌ ଇଣ୍ଡିଆ ୟୁନିଭର୍ସ ୨୦୧୯’ର ଭୁବନେଶ୍ୱର ଅଡିଶନ୍‌ରେ ରାଜ୍ୟର ବିଭିନ୍ନ ସହରରୁ ପ୍ରାୟ ୬୦ ମହିଳା ଭାଗ ନେଇଥିଲେ। ତନ୍ମମଧ୍ୟରୁ ୯ ଜଣଙ୍କୁ ଜାତୀୟସ୍ତରକୁ ଚୟନ କରାଯାଇଥିଲା। ମରିସସ୍‌ଠାରେ ଆୟୋଜିତ ଜାତୀୟସ୍ତର ପ୍ରତିଯୋଗିିତାରେ ଭାରତର ବିଭିନ୍ନ ରାଜ୍ୟରୁ ପ୍ରାୟ ୪୦ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ‘ମିସେସ ଇଣ୍ଡିଆ ୟୁନିଭର୍ସ ଗୋଲ୍ଡ’ ଏବଂ ‘ମିସେସ ଇଣ୍ଡିଆ ୟୁନିଭର୍ସ ପ୍ଲାଟିନମ୍‌’ ଦୁଇଟି ଶ୍ରେଣୀଭୁକ୍ତ କରାଯାଇଥିଲା। ଗୋଲ୍ଡ ଶ୍ରେଣୀରେ ୨୦-୩୫ ବର୍ଷୀୟା ମହିଳାମାନେ ଭାଗ ନେଇଥିବାବେଳେ ପ୍ଲାଟିନମ୍‌ ବର୍ଗରେ ୩୫-୫୦ ବର୍ଷୀୟା ମହିଳାମାନେ ଭାଗ ନେଇଥିଲେ। ମରିସସ୍‌ରେ ୧୧ ଦିନର ରହଣି ମଧ୍ୟରେ ପ୍ରତିଯୋଗୀମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ ଏବଂ ବିଭିନ୍ନ ବର୍ଗରେ ପ୍ରତିଯୋଗୀଙ୍କ ଦକ୍ଷତା ବଲିଉଡ଼ ତଥା ଫ୍ୟାଶନ୍‌ ଜଗତର ପ୍ରତିଷ୍ଠିତ ବିଚାରକ ମଣ୍ଡଳୀ ବିଚାର କରିଥିଲେ। ସୋନାଲି କହିଛନ୍ତି ଯେ, ମୋର ଦୃଢ଼ତା ଏବଂ ପ୍ରତିବଦ୍ଧତା ସର୍ବଦା ମୋର ସଫଳତାର ଏକ ସ୍ତମ୍ଭ ଭାବେ ଛିଡ଼ା ହୋଇଛି। ଭୁବନେଶ୍ୱରର ଜଣେ ଉଦ୍ୟୋଗପତି ତଥା ସୌନ୍ଦର୍ଯ୍ୟ ବିଶେଷଜ୍ଞ ବା ବିୟୁଟିସିଆନ୍‌ ଭାବେ ୩୭ ବର୍ଷୀୟା ସୋନାଲୀ ପିଲାଟି ଦିନରୁ ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗନେବା ଲାଗି ବେଶ୍‌ ଆଗ୍ରହୀ ଥିଲେ। ଆଗାମୀ ଦିନରେ ସେ ଅନ୍ତର୍ଜାତୀୟ ସ୍ତରରେ ମିସେସ୍‌ ଇଣ୍ଡିଆ ୟୁନିଭର୍ସରେ ଭାଗ ନେବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।

Share