ମିସେସ୍‌ ଇଣ୍ଡିଆ ୟୁନିଭର୍ସ ୨୦୧୯କୁ ନେଇ ବିବାଦ : ପ୍ରତିଯୋଗୀଙ୍କୁ କହିଲେ ‘ପେ ଅର୍‌ ସ୍ଲିପ୍‌’

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ବ୍ୟୁଟି ପାଜେଣ୍ଟ୍‌, ମଡେଲିଂ, ଆକ୍ଟିଂ, ରିୟାଲିଟି ଶୋ। ଶୁଣିବାକୁ ଓ ବାହାରୁ ଦେଖିବାକୁ ଏସବୁ ଗ୍ଲାମର ଲାଗେ। ମିସ୍‌ ଇଣ୍ଡିଆ, ମିଷ୍ଟର ଇଣ୍ଡିଆ, ମିସ୍‌ ୟୁନିଭର୍ସ, ମିସ୍‌ ଡିଭା ଭଳି ବ୍ୟୁଟି ପାଜେଣ୍ଟ ମଞ୍ଚରେ ପହଞ୍ଚତ୍ବା ମଡେଲିଂରେ କ୍ୟାରିୟର କରିବାକୁ ଚାହୁଁଥିବା ପ୍ରତ୍ୟେକ ଯୁବପିଢିଙ୍କ ସ୍ବପ୍ନ ଥାଏ। ହେଲେ ବାସ୍ତବରେ କେତେ ସୁରକ୍ଷିତ ଏହି ପ୍ଲାଟ୍‌ଫର୍ମ। ଚକାଚକ୍‌ ର଼୍ୟାମ୍ପ୍‌, ଝଲ୍‌ମଲ୍‌ କରୁଥିବା ମଞ୍ଚ ପଛରେ ସବୁକିଛି ଠିକ୍‌ଠାକ୍‌ ଚାଲେ ତ? ଅନେକ ସମୟରେ ଏ ପ୍ରଶ୍ନ ମନକୁ ଆସେ। ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ଏକାଧିକ ସଂସ୍ଥା ବ୍ୟୁଟି ପାଜେଣ୍ଟ୍‌ ନାମରେ ଲୋକଙ୍କୁ ଠକୁଥିବା ନଜରକୁ ଆସୁଛି। କେବଳ ଏତିକି ନୁହେଁ, ରଙ୍ଗିନ ଦୁନିଆ ଓ ଉଜ୍ଜ୍ୱଳ ଭବିଷ୍ୟତର ସ୍ବପ୍ନ ଦେଖାଇ ନିରୀହ ଯୁବତୀ ଯୁବକଙ୍କୁ ପ୍ରତରାଣା କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଛି। ମରିସସ୍‌ରେ ଚାଲିଥିବା ମିସେସ୍‌ ଇଣ୍ଡିଆ ୟୁନିଭର୍ସ ୨୦୧୯ରେ କିଛି ଏଭଳି ଘଟଣା ସାମ୍ନାକୁ ଆସିଛି। ବ୍ୟୁଟି ପାଜେଣ୍ଟ୍‌ ନଁାରେ ଆୟୋଜକ ପ୍ରତିଯୋଗୀଙ୍କୁ ଠକିବା ସହ ‘ପେ ଅର୍‌ ସ୍ଲିପ୍‌’ ବା ‘ଟଙ୍କା ଦିଅ ନହେଲେ ଶୁଅ କହି’ ଶାରୀରିକ ଓ ମାନସିକଭାବେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏପରିକି କ୍ରାଉନ୍‌ ପୂର୍ବରୁ ଫିକ୍ସିଂ ହୋଇସାରିଥିବା ମଧ୍ୟ ଅଭିଯୋଗ ଉଠିଛି। ଓଡ଼ିଶାରୁ ଯାଇଥିବା ଜଣେ ପ୍ରତିଯୋଗୀ ବିଦେଶ ମାଟିରେ କିଭଳି ତାଙ୍କୁ ମାନସିକ ନିର୍ଯାତନାର ସାମ୍ନା କରିବାକୁ ପଡ଼ିଥିଲା ତାହା ସେ କହିଛନ୍ତି।
ତୁଷାର ଧଲିଓ୍ବାଲ୍‌ଙ୍କ ଦ୍ୱାରା ପ୍ରତିଷ୍ଠିତ ମିସେସ୍‌ ଇଣ୍ଡିଆ ୟୁନିଭର୍ସ ଏକ ଜଣାଶୁଣା ବ୍ୟୁଟି ପାଜେଣ୍ଟ୍‌ ହୋଇଥିବା ବେଳେ କିଛିଦିନ ପୂର୍ବରୁ ଏହି କ୍ରାଉନ୍‌ ପାଇଁ ସର୍ବଭାରତୀୟସ୍ତରରେ ପ୍ରତିଯୋଗିତା ହୋଇଥିଲା। ପ୍ରତ୍ୟେକ ରାଜ୍ୟରୁ ଜଣେ ଜଣେ ମହିଳା ଶ୍ରେଷ୍ଠ ବିବେଚିତ ହୋଇ ରାଜ୍ୟ ବିଜେତା ଭାବେ ଟାଇଟଲ୍‌ ଓ ଫିନାଲେ ଟିକେଟ୍‌ ଜିତିଥିଲେ। ଗତ ୧୨ ତାରିଖରୁ ଗ୍ରାଣ୍ଡ୍‌ଫିନାଲେ ପାଇଁ ସମସ୍ତ ପ୍ରତିଯୋଗୀଙ୍କୁ ମରିସସ୍‌ ନିଆଯାଇଥିଲା। ତେବେ ସେଠାରେ ଶାରୀରିକ ଓ ମାନସିକଭାବେ ନିର୍ଯାତନା ଦିଆଯାଉଥିବା ନେଇ ପ୍ରତିଯୋଗୀମାନେ ମରିସସ୍‌ ପୋଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ମରିସସ୍‌ସ୍ଥିତ ଭାରତୀୟ ଦୂତାବାସ ଘଟଣାରେ ହସ୍ତକ୍ଷେପ କରିବା ପରେ ପ୍ରତିଯୋଗିତାକୁ ବନ୍ଦ କରାଯାଇଛି। ଅନ୍ୟପକ୍ଷରେ ସୁରକ୍ଷିତଭାବେ ସମସ୍ତ ପ୍ରତିଯୋଗୀଙ୍କୁ ଭାରତ ପଠାଯାଇଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ‘ଧରିତ୍ରୀ’କୁ ସୂଚନା ଦେଇ ଓଡ଼ିଶାର ପ୍ରତିଯୋଗୀ ଜଣକ କହିଛନ୍ତି, ମିସେସ୍‌ ଇଣ୍ଡିଆ ୟୁନିଭର୍ସର ସମସ୍ତ ୧୦ଟି କ୍ରାଉନ୍‌ ୭ରୁ ୮ଲକ୍ଷ ଟଙ୍କାରେ ଫିକ୍ସ ହୋଇଥିଲା। ଏନେଇ ଆମେ ଅଭିଯୋଗ କରିବାପରେ ଆମକୁ ‘ଆଇଦର୍‌ ୟୁ ପେ ଅର୍‌ ସ୍ଲିପ୍‌ ଫର୍‌ ଦି କ୍ରାଉନ୍‌’ ବୋଲି କହିଥିଲେ। ଆମେ ଚାହିଁଥିଲେ ଅନ୍ୟମାନଙ୍କ ଭଳି ଚୁପ୍‌ ରହିପାରିଥାନ୍ତୁ। ହେଲେ ବ୍ୟୁଟି ପାଜେଣ୍ଟ୍‌ ନାଁରେ ମହିଳା ଓ ଯୁବତୀମାନଙ୍କୁ କିଭଳି ପ୍ରତାରିତ କରାଯାଉଛି ସେନେଇ ଆମେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛୁ। ଆଗକୁ ଯେପରି ଏଭଳି ଘଟଣାକୁ କେହି ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଆମେ ଭାରତ ଫେରିବା ପରେ ଏହାର କଡ଼ା ପ୍ରତିବାଦ କରିବୁ।

Share