ମିସ୍‌ ଇଣ୍ଡିଆ’ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତା: ଫାଇନାଲରେ ଓଡ଼ିଆ ଝିଅ ପ୍ରତୀକ୍ଷା

ଭୁବନେଶ୍ୱର, ୧୨ା୧୧(ବ୍ୟୁରୋ): ‘ମିସ୍‌ ଇଣ୍ଡିଆ’ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତା ଗ୍ରାଣ୍ଡ୍‌ ଫିନାଲେରେ ରହିଛନ୍ତି ଓଡ଼ିଆ ଝିଅ। ଇଣ୍ଡୋନେସିଆର ଜାକର୍ତ୍ତାଠାରେ ହେଉଥିବା ଏହି ପ୍ରତିଯୋଗିତାର ଫାଇନାଲିଷ୍ଟ ହୋଇପାରିଛନ୍ତି ପ୍ରତୀକ୍ଷା ମିଶ୍ର। ଇଣ୍ଡିଆନ୍‌ ଫ୍ୟାଶନ୍‌ ଫିଏଷ୍ଟା ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରତୀକ୍ଷା ଭିନ୍ନ ଭିନ୍ନ ରାଉଣ୍ଡରେ ନିଜର ପାରଦର୍ଶିତା ଦେଖାଇ ଟପ୍‌-୨୫ରେ ପହଞ୍ଚିପାରିଛନ୍ତି। ଆସନ୍ତା ୧୮ରେ ହେବାକୁ ଥିବା ‘ମିସ୍‌ ଇଣ୍ଡିଆ’ ଇଣ୍ଟରନ୍ୟାଶନାଲ ଗ୍ରାଣ୍ଡ୍‌ ଫିନାଲେ ପାଇଁ ସେ ଏବେ ଜାକର୍ତ୍ତା ଯାତ୍ରା କରିଛନ୍ତି। ସମ୍ବଲପୁର ଜିଲାର ଝିଅ ପ୍ରତୀକ୍ଷା ଯୁକ୍ତ୨ ସାରି କୃଷି ବିଜ୍ଞାନୀ ହେବା ଲକ୍ଷ୍ୟ ରଖିଛନ୍ତି। ଫ୍ୟାଶନ୍‌ ଏବଂ ମଡେଲିଂରେ ତାଙ୍କର ସଉକ୍‌ ରହିଛି। ପିଲାଦିନରୁ ବିଭିନ୍ନ ଫ୍ୟାଶନ୍‌ ଶୋ’ରେ ଭାଗ ନେଇ ପୁରସ୍କୃତ ମଧ୍ୟ ହୋଇଛନ୍ତି। ଗ୍ରାଣ୍ଡ୍‌ ଫିନାଲେରେ ପ୍ରତୀକ୍ଷା କମାଲ୍‌ କରିବେ ବୋଲି ପରିବାର ଲୋକେ ଆଶା ରଖିଛନ୍ତି। ଏନେଇ ପ୍ରତୀକ୍ଷାଙ୍କ ମା’ କହିଛନ୍ତି ଯେ, ପ୍ରତୀକ୍ଷା ପିଲାବେଳୁ ଟିଭି ଦେଖି ମଡେଲିଂ କରିବାକୁ ଇଚ୍ଛା ପ୍ରକାଶ କରୁଥିଲେ। ମାତ୍ର ମୁଁ ତାକୁ ପାଠ ପଢ଼ିବାକୁ ପରାମର୍ଶ ଦେଉଥିଲି। କିନ୍ତୁ ସେ ପାଠ ପଢ଼ିବା ସହିତ ମଡେଲିଂ କରିବ ବୋଲି କହୁଥିଲା। ଏହା ଭିତରେ ମୋତେ କିଛି ନ କହି ଅଡିଶନ୍‌ ଦେଲା ଓ ସିଲେକ୍ସନ୍‌ ମଧ୍ୟ ହେଲା। ଆଉ ଏବେ ସେ ‘ମିସ୍‌ ଇଣ୍ଡିଆ’ ଇଣ୍ଟରନ୍ୟାଶନାଲ ଗ୍ରାଣ୍ଡ ଫିନାଲେରେ ଭାଗ ନେବାକୁ ଯାଉଛି।

Share