Categories: ଖେଳ

ମୁଁ ପାକିସ୍ତାନ ଦଳର ମା’ ନୁହେଁ: ସାନିଆ

ଲଣ୍ଡନ, ୧୮।୬:ଭାରତୀୟ ଦଳ ବିଶ୍ୱକପ୍‌ ଇତିହାସରେ ପାକିସ୍ତାନ ଦଳ ବିପକ୍ଷରେ ତା’ର ଅପରାଜେୟ ଧାରା ଜାରି ରଖିବାରେ ସକ୍ଷମ ହୋଇଛି। ଏଭଳି ହାଇଭୋଲ୍ଟେଜ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ଦଳର ଅଭିଜ୍ଞ ଖେଳାଳି ଶୋଏବ ମଲିକ ଓ ତାଙ୍କ ପତ୍ନୀ ତଥା ଭାରତୀୟ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ରାତିରେ କାଫେ ଯାଇଥିଲେ। ଯାହାକୁ ଦେଇ ପାକିସ୍ତାନରେ ଜୋରଦାର ଆଲୋଚନା କରାଯାଉଛି। ସୋସିଆଲ ମିଡିଆରେ ସାନିଆଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡିଛି। ପାକିସ୍ତାନ ଅଭିନେତ୍ରୀ ବୀଣା ମଲିକ ସାନିଆଙ୍କ ଉପଦେଶ ଦେଇ କହିଛନ୍ତି, ମୁଁ ସାନିଆଙ୍କ ପୁଅ ଇଜହାନଙ୍କ ପାଇଁ ବେଶ୍‌ ଚିନ୍ତିତ। ଏତେ ଛୋଟ ପିଲାକୁ କାଫେ ନେଇ ଯିବା ଆଦୌ ଉଚିତ୍‌ ନୁହେଁ। ଶିଷା କାଫେରେ ଜଙ୍କ୍‌ ଫୁଡ୍‌ ଦିଆଯାଏ ଯାହା ଖେଳାଳିମାନେ ଖାଇବା ନିଷିଦ୍ଧ। ତୁମେ ଜଣେ ଟେନିସ୍‌ ଷ୍ଟାର ଏବଂ ମା’ ହୋଇଥିବାରୁ ତାହା ତୁମକୁ ଜଣାଥିବା ବୋଲି ବୀଣା କହିଛନ୍ତି। ଏହାର ଜବାବରେ ସାନିଆ କହିଛନ୍ତି, ମୁଁ ମୋ ପୁଅକୁ ସେଠାକୁ ନେଇ ନ ଥିଲି। ତା’ର ଯତ୍ନ କିଭଳି ନିଆଯିବ ତାହା ମୋତେ ଜଣା। ମୁଁ ପାକିସ୍ତାନ କ୍ରିକେଟ ଦଳର ମା’ କିମ୍ବା ଫିଟ୍‌ନେସ୍‌ କୋଚ୍‌ ନୁହେଁ ବୋଲି ସାନିଆ କହିଛନ୍ତି। ସୂଚନାଯୋଗ୍ୟ, ସାନିଆ ପାକିସ୍ତାନୀ ଖେଳାଳିଙ୍କ ସହ କାଫେ ଯାଇଥିବାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉକ୍ତ ଫଟୋରେ ସାନିଆ ଓ ମଲିକଙ୍କ ବ୍ୟତୀତ ପାକିସ୍ତାନ ଦଳର ଅନ୍ୟ ଖେଳାଳିମାନେ କାଫେରେ ମଜା କରୁଥିବା ଦେଖିବାକୁ ମିଳିଛି। ଗୋଟିଏ ପକ୍ଷରେ ପାକିସ୍ତାନ ଦଳର ପରାଜୟ ଯୋଗୁ ଖେଳାଳିଙ୍କ ଫିଟ୍‌ନେସକୁ ଦାୟୀ କରାଯାଉଥିବାବେଳେ ଓ୍ବିଲ୍ସଲ ରୋଡ୍‌ସ୍ଥିତ ଶିଷା କାଫେରେ ମଜା କରୁଥିବା ଫଟୋ ଓ ଭିଡିଓ ଭାଇରାଲ ହେବା ପ୍ରଶଂସକଙ୍କୁ ଆହୁରି କ୍ଷୁବ୍ଧ କରିଛି।

Share