ମୁକାବିଲା ପାଇଁ ପୋଲିସ ସଜାଗ-ଡିଜିପି

ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ, ୧୮।୫-ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ’ର ମୁକାବିଲା ଲାଗି ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅଭୟ ସୋମବାର ବାଲେଶ୍ୱର ଓ ଭଦ୍ରକ ଜିଲା ଗସ୍ତ କରିଥିଲେ। ସେ ପ୍ରଥମେ ପୂର୍ବାହ୍ନ ୧୧ଟା ୨୦ମିନିଟ୍‌ରେ ବାଲେଶ୍ୱର ଜିଲା ଆଇଜିଙ୍କ ଅଫିସ୍‌ରେ ପହଞ୍ଚିଥିଲେ। ସେଠାରେ ବାତ୍ୟା ପ୍ରସ୍ତୁତି ସମୀକ୍ଷା କରିବା ପରେ ଓଡ୍ରାଫର ଜିଲା କେନ୍ଦ୍ରକୁ ପରିଦର୍ଶନ କରିଥିଲେ। ପୋଲିସ ଓ ଜିଲା ପ୍ରଶାସନ ସହିତ ସମନ୍ବୟ ରକ୍ଷା କରି ବାତ୍ୟାର ମୁକାବିଲା କରିବା ପାଇଁ ଡିଜିପି ପରାମର୍ଶ ଦେଇଥିଲେ। ବାତ୍ୟା ମୁକାବିଲା ପାଇଁ ଜିଲାରେ ଏନ୍‌ଡିଆର୍‌ଏଫ୍‌ ଓ ଓଡ୍ରାଫ ଟିମ୍‌ ମୁତୟନ ରହିବା ସହ ପୋଲିସ ସଜାଗ ରହିଥିବା ଡିଜିପି ସୂଚନା ଦେଇଥିଲେ।
ଏହାପରେ ମଧ୍ୟାହ୍ନରେ ଡିଜିପି ଅଭୟ ଭଦ୍ରକରେ ପହଞ୍ଚି ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ଓ ପ୍ରବାସୀମାନଙ୍କୁ ଜାତୀୟ ରାଜପଥ ଧାମରା ଓଭରବ୍ରିଜ ନିକଟରେ ଜିଲା ପୋଲିସ ପକ୍ଷରୁ ଦିଆଯାଉଥିବା ରନ୍ଧାଖାଦ୍ୟ ଓ ବସ୍‌ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ପ୍ରବାସୀ ଯେପରି ଚାଲି ଚାଲି ଓ ଭୋକିଲା ଯିବେନି ସେନେଇ ଜିଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଥିଲେ। ଏହି ଅବସରରେ ଉତ୍ତରାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ, ଏସ୍‌ପି ରାଜେଶ ପଣ୍ଡିତ, ଅତିରିକ୍ତ ଏସ୍‌ପି ବିକାଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।