‘ମୁକାବିଲା ପାଇଁ ସଚେତନତାକୁ ଗୁରୁତ୍ୱ’

ଭୁବନେଶ୍ୱର,୧୨।୪(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି ଏବଂ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମଗୁଡ଼ିକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି। ଏଥିପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ପ୍ରତିନିିଧିମାନଙ୍କୁ ଅବଗତ କରାଇବା ପାଇଁ ଗତ ମାର୍ଚ୍ଚ ୧୯, ୨୦ ଓ ୨୧ ତାରିଖରେ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲା ପରିଷଦ ସଦସ୍ୟମାନଙ୍କ ପାଇଁ ସଚେତନତା ସଭା କରାଯାଇଛି ।

କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମପଞ୍ଚାୟତରେ ୧,୬୨,୧୪୨ ଶଯ୍ୟାବିଶିଷ୍ଟ ମୋଟ ୬୯୩୯ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି । ଗ୍ରାମପଞ୍ଚାୟତ ପାଣ୍ଠିରୁ କୋଭିଡ୍‌-୧୯ ସ୍ବତନ୍ତ୍ର ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତି ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପ୍ରତ୍ୟେକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ମୌଳିକ ସୁବିଧାସୁଯୋଗ ଏବଂ ପରିମଳ ବ୍ୟବସ୍ଥା ସହ ପ୍ରସ୍ତୁତ ରହିବା ନିିମନ୍ତେ ଯଥାକ୍ରମେ ୧୦ ଲକ୍ଷ ଟଙ୍କା ଏବଂ ୫ ଲକ୍ଷ ଟଙ୍କା ଯୋଗାଇ ଦିିଆଯାଇଛି। ସମସ୍ତ ଗ୍ରାମପଞ୍ଚାୟତରେ ଯୋଗ୍ୟ ହିତାଧିକାରୀମାନଙ୍କୁ ସାମାଜିକ ସୁରକ୍ଷା ପେନ୍‌ସନ୍‌, ରାଶନ ସାମଗ୍ରୀ ଓ ସ୍ବତନ୍ତ୍ର ଖାଦ୍ୟ ସୁରକ୍ଷା ଭତ୍ତା ବଣ୍ଟନ କରାଯାଇଛି । ସାମାଜିକ ଦୂରତ୍ୱ ପାଳନ କରି ୬୯୯୬ଟି ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ମାର୍ଚ୍ଚ ୨୯ ତାରିଖରୁ ନିିରନ୍ତର ଭାବରେ ରନ୍ଧାଖାଦ୍ୟ ପ୍ରସ୍ତୁତିରେ ନିିୟୋଜିତ ହୋଇ ଏପ୍ରିଲ୍‌ ୧୦ ତାରିଖ ସୁଦ୍ଧା ୩୫,୦୮,୦୯୬ ଜଣଙ୍କୁ ବିନାମୂଲ୍ୟରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି।

Share