ମୁକାବିଲା ଲାଗି ୧୫,୦୦୦ କୋଟିର ଜରୁରୀ ପାଣ୍ଠି

ନୂଆଦିଲ୍ଲୀ,୧୦।୪: କରୋନା ମହାମାରୀର ମୁକାବିଲା ଲାଗି କେନ୍ଦ୍ର ସରକାର ୧୫,୦୦୦ କୋଟି ଟଙ୍କାର ଜରୁରୀ ପାଣ୍ଠିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ଶତ ପ୍ରତିଶତ କେନ୍ଦ୍ରୀୟ ପାଣ୍ଠି ଉଭୟ ଜାତୀୟ ଓ ରାଜ୍ୟ ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ବିକାଶ ଲାଗି ବିନିଯୋଗ କରାଯିବ। ଏହି ‘ଭାରତ କୋଭିଡ୍‌-୧୯ ଜରୁରୀ ପଦକ୍ଷେପ ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତି ପ୍ୟାକେଜ୍‌’ ୫ ବର୍ଷରେ ୩ ପର୍ଯ୍ୟାୟରେ ବିନିଯୋଗ ହେବ। ଏହି ଅର୍ଥରାଶି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଦାନ କରାଯିବ। ମୋଟ ଅର୍ଥରାଶିରୁ ୭୭୭୪ କୋଟି ଟଙ୍କା ଜରୁରୀ ପଦକ୍ଷେପ ଲାଗି ବ୍ୟୟ କରାଯିବାକୁ ଥିବାବେଳେ ଅବଶିଷ୍ଟ ଅର୍ଥ ମଧ୍ୟବର୍ତ୍ତିକାଳୀନ ସହାୟତା ଭାବେ ୧ରୁ ୪ ବର୍ଷ ମଧ୍ୟରେ ମିଳିବ। ଉକ୍ତ ଅର୍ଥ ମୁଖ୍ୟତଃ ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ବିକାଶରେ ବ୍ୟୟ କରାଯିବ। ଏଥିରେ ଅଧିକ କରୋନା ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯିବା ସହ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ), ଆଇସୋଲେଶନ ବେଡ୍‌, ଆଇସିୟୁ ବେଡ୍‌, ଭେଣ୍ଟିଲେଟର ଓ ଅନ୍ୟାନ୍ୟ ଜରୁରୀ ଉପକରଣ ପ୍ରସ୍ତୁତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଏହି ପ୍ରକଳ୍ପଗୁଡିକ ତିନି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ଡାଇଗ୍ନୋଷ୍ଟିକ୍ସ ଓ କୋଭିଡ୍‌-୧୯ ଚିକିତ୍ସା କେନ୍ଦ୍ର ସ୍ଥାପନ, ଜରୁରୀ ମେଡିକାଲ ଉପକରଣ ଓ ଔଷଧ ସଂଗ୍ରହ ମାଧ୍ୟମରେ ଦେଶରେ ଏହି ଭୂତାଣୁ ସଂକ୍ରମଣ ହ୍ରାସ କରାଇବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ। ଭବିଷ୍ୟତରେ ଏଭଳି ମହାମାରୀର ମୁକାବିଲା ଲାଗି ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ପ୍ରସ୍ତୁତ କରିବ ରଖିବା ମଧ୍ୟ ଏହାର ଅନ୍ୟତମ ଲକ୍ଷ୍ୟ ବୋଲି କୁହାଯାଇଛି। ଏଥିପାଇଁ ଅଧିକ ଲାବରେଟୋରି ସ୍ଥାପନ କରିବା ସହ ପର୍ଯ୍ୟବେକ୍ଷଣ କାର୍ଯ୍ୟକୁ ଅଧିକ ମଜଭୁତ କରିବାକୁ ହେବ। ପ୍ରଥମ ପର୍ଯ୍ୟାୟରେ ହସ୍ପିଟାଲ ଓ ସରକାରୀ ଆମ୍ବୁଲାନ୍ସଗୁଡ଼ିକର ବିଶୋଧନ କରାଯିବା ସହ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଏବଂ ଏନ୍‌-୯୫ ଫେସ୍‌ମାସ୍କ କିଣାଯିବ।

Share