Categories: ମେଟ୍ରୋ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ : ଓବିସି, ଏସ୍‌ଇବିସିଙ୍କ ପାଇଁ ସଂରକ୍ଷଣ ଲାଗୁ କର

ଭୁବନେଶ୍ୱର,୨୬ା୭(ବ୍ୟୁରୋ) : ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଏବଂ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସ୍‌ଇବିସି) ଲୋକଙ୍କ ପାଇଁ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ଧର୍ମେନ୍ଦ୍ର ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାରେ ଓବିସି ଓ ଏସ୍‌ଇବିସି ଲୋକମାନେ ରାଜ୍ୟ ଜନସଂଖ୍ୟାର ଏକ ପ୍ରମୁଖ ବର୍ଗ ଅଟନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ଦାରିଦ୍ର୍ୟ ଓ ନିରକ୍ଷରତା ମଧ୍ୟରେ ରହିଛନ୍ତି। ଏହି କାରଣରୁ ଏମାନଙ୍କୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ବିଶେଷ ସୁବିଧା ଉପଲବ୍ଧ କରାଇବା ଜରୁରୀ। ସମ୍ବିଧାନର ଧାରା ୧୫(୪) ଓ ୧୬ (୪)ର ଉଲ୍ଲେଖ କରି କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ୨୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିଛନ୍ତି। ଏହି ସଂରକ୍ଷଣ ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ମଧ୍ୟ ମାନ୍ୟତା ପ୍ରଦାନ କରିଛନ୍ତି। ଅନେକ ରାଜ୍ୟ ସରକାର ଏଭଳି ବର୍ଗର ଲୋକଙ୍କ ପାଇଁ ଅଧିକ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ମାତ୍ର ଓଡ଼ିଶା ସରକାର ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ଓବିସିମାନଙ୍କ ପାଇଁ ସଂରକ୍ଷଣ ସୁବିଧା ଲାଗୁ କରୁନାହାନ୍ତି। ସେହିପରି ଏସ୍‌ଇବିସିମାନଙ୍କ ପାଇଁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ସୁବିଧା ଦେଇନାହାନ୍ତି। ଉଭୟ ଓବିସି ଓ ଏସ୍‌ଇବିସି ଲୋକମାନେ ଉଚ୍ଚଶିକ୍ଷା ଓ ଚାକିରୀ କ୍ଷେତ୍ରରେ ଯୋଗଦେବାରୁ ବଞ୍ଚିତ ହେଉଛନ୍ତି ଓ ଏହା ପଛରେ ସେମାନଙ୍କ ସାମାଜିକ ଓ ଆର୍ଥିକ ପଛୁଆ ପରିସ୍ଥିତି ମୁଖ୍ୟତଃ ଦାୟୀ। ଏପରି ପରିସ୍ଥିତିରେ ଏହି ବର୍ଗର ଲୋକଙ୍କୁ ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରିରେ ଅଧିକ ସୁଯୋଗ ଉପଲବ୍ଧ କରାଇବା ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି।

Share