ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରୀତା: କହିଲେ ‘ ଅଧୁରା କାର୍ଯ୍ୟ ପୂରା କରିବି’

ଭୁବନେଶ୍ୱର,୨୮।୯(ବ୍ୟୁରୋ): ପୁଣି ଥରେ ରୀତା ସାହୁଙ୍କ ଉପରେ ଆସ୍ଥା ପ୍ରକଟ କରିଛି ବିଜେଡି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବିଜେପୁର ଉପନିର୍ବାଚନ ପାଇଁ ରୀତାଙ୍କୁ ପ୍ରାର୍ଥୀ କରାଯାଇଥିବା ଘୋଷଣା କରିଛନ୍ତି। ଏହାପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ରୀତା। ସେ କହିଛନ୍ତି, ପୁଣି ଥରେ ମୁଖ୍ୟମନ୍ତ୍ରୀ ମୋ’ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ ଜଣାଉଛି। ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ଯୋଗୁ ବିଜେପୁରରେ ବିକାଶମୂଳକ କାମ ହାତକୁ ନିଆଯାଇଛି। ଆଗାମୀ ଦିନରେ ଅଧୁରା କାର୍ଯ୍ୟକୁ ମୁଁ ପୂରଣ କରିବି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେପୁରରୁ ରୀତା ଲଢ଼ିପାରନ୍ତି ବୋଲି କୁହାଯାଉଥିଲା। ହେଲେ ନବୀନ ଉଭୟ ହିଞ୍ଜିଳି ଏବଂ ବିଜେପୁରରୁ ଲଢ଼ିବେ ବୋଲି ଘୋଷଣା ହୋଇଥିଲା। ଉଭୟ ଆସନରୁ ନବୀନ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ହେଲେ ହିଞ୍ଜିଳି ଆସନରେ ରହି ସେ ବିଜେପୁରରୁ ଇସ୍ତଫା ଦେଇଥିଲେ। ଫଳରେ ଉପନିର୍ବାଚନ ହେବାର ଆବଶ୍ୟକତା ପଡ଼ିଥିଲା। ନିକଟରେ ଏ ନେଇ ତାରିଖ ଘୋଷଣା ହୋଇଛି। ଅକ୍ଟୋବର ୨୧ରେ ହେବାକୁ ଥିବା ଏହି ନିର୍ବାଚନ ନେଇ ପୂର୍ବରୁ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିଛି।

Share