ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି:ବାଣୀବିହାର-ରାଜମହଲ ରାସ୍ତା ଜୟୀ ରାଜଗୁରୁଙ୍କ ନାମରେ ନାମିତ ହେଉ

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ଭୁବନେଶ୍ୱରର ବାଣୀବିହାର ଛକରୁ ରାଜମହଲ ଛକ, ଯାହାକୁ ଏବେ ଜନପଥ ବୋଲି କୁହାଯାଉଛି। ସେହି ରାସ୍ତାର ନାମକୁ ”ଜୟୀ ରାଜଗୁରୁ ଜନପଥ“ କରାଯାଉ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଆସନ୍ତା ୨୯ରେ ଜୟୀ ରାଜଗୁରୁଙ୍କ ଜୟନ୍ତୀ। ଇଂରେଜମାନେ ଯେଉଁଭଳି ଜୟୀ ରାଜଗୁରୁଙ୍କୁ ବରଗଛ ଡାଳରେ ଦୁଇ ଗୋଡ଼କୁ ବାନ୍ଧି ଜିଅନ୍ତା ଫାଡିଦେଲେ ଏପରି ବର୍ବର ହତ୍ୟା ବିଶ୍ୱ ଇତିହାସରେ ବିରଳ। ମହାପ୍ରଭୁ ଜଗନ୍ନାଥଙ୍କ ସୁରକ୍ଷା, ଓଡ଼ିଶାର ସ୍ବାଧୀନତାକୁ ବଜାୟ ରଖିବା ପାଇଁ ଜୟୀ ରାଜଗୁରୁଙ୍କ ଲଢ଼େଇ ଏକ ସମ୍ପୂର୍ଣ୍ଣ ଜନ ଆନ୍ଦୋଳନ ଥିଲା। ତାଙ୍କ ଭଳି ଜଣେ ମହାନ୍‌ ଦେଶଭକ୍ତ, ସାହସୀ, ଯୋଦ୍ଧା, ସଂସ୍କୃତ ପଣ୍ଡିତଙ୍କୁ ଆମେ ଠିକ୍‌ରେ ସମ୍ମାନ ଦେଉନାହୁଁ। ସ୍କୁଲ, କଲେଜ ପାଠ୍ୟ ପୁସ୍ତକରେ ସେ କେବଳ ସୀମିତ ହୋଇଯାଇଛନ୍ତି। ଦେଶମାତୃକାର ସେବାରେ ସମର୍ପିତ ତାଙ୍କ ଜୀବନୀ ବିଷୟରେ ଗବେଷଣା କରିବାର ଆବଶ୍ୟକତା ମଧ୍ୟ ରହିଛି। ଜୟୀ ରାଜଗୁରୁଙ୍କ ନାମରେ ରାଜଧାନୀରେ ଏହି ମୁଖ୍ୟ ରାସ୍ତାକୁ ନାମିତ କଲେ ରାଜ୍ୟ ବାହାର ଲୋକମାନେ ଓଡ଼ିଶାକୁ ଆସିଲେ ସେମାନେ ସେହି ମହାନ୍‌ ଯୋଦ୍ଧାଙ୍କ ବିଷୟରେ ଜାଣିପାରିବେ ବୋଲି ନାଏକ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି।

Share