ମୁଖ୍ୟମନ୍ତ୍ରୀଙ୍କୁ ଭଦ୍ରକବାସୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୮।୧(ବ୍ୟୁରୋ):ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଏହାର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏକାଧିକ ଯୋଜନା ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ସ୍ଥାନୀୟ ଅଞ୍ଚଳରେ ସ୍ବାଗତ କରାଯାଇଛି। ମୋ ସରକାର କାର୍ଯ୍ୟକ୍ରମ ଅଧୀନରେ ୫-ଟି ଅନୁସାରେ ଉଚ୍ଚ ଅଧିକାରୀଙ୍କ ଗସ୍ତ ଏବଂ ପରବର୍ତ୍ତୀ କାର୍ଯ୍ୟକ୍ରମକୁ ସବୁ ମହଲରେ ସ୍ବାଗତ କରାଯାଇଛି। ଏଥିପାଇଁ ସ୍ଥାନୀୟ ଜନସାଧାରଣ, ଜିଲାର ବୁଦ୍ଧିଜୀବୀ, ପଞ୍ଚାୟତ ପ୍ରତିନିଧି ଏବଂ ଅନ୍ୟାନ୍ୟ ଜନପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ନବୀନ ନିବାସକୁ ଶୋଭାଯାତ୍ରାରେ ଶତାଧିକ ଶୁଭେଚ୍ଛୁ ଆସିବା ସହ ପୁଷ୍ପମାଲ୍ୟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏ ସମ୍ପର୍କରେ ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ଯେ, ଜିଲାର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପୂର୍ବାପେକ୍ଷା ଅଧିକ ସୁଦୃଢ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପଦକ୍ଷେପ ଜିଲାବାସୀଙ୍କ ଆଶା, ଆକାଂକ୍ଷାକୁ ନିଶ୍ଚୟ ପୂରଣ କରିବ।

Share