ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆର୍‌ବିଆଇ ଗଭର୍ନର

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଶକ୍ତିକାନ୍ତ ଅପରାହ୍ନ ୫ଟା ୩୦ରେ ଲୋକସେବା ଭବନ ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗ ନେଇ ସୌଜନ୍ୟମୂଳକ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ପରେ ଆର୍‌ବିଆଇ ଗଭର୍ନର କହିଥିଲେ ଯେ, ସାକ୍ଷାତ ବହୁତ ଭଲ ଥିଲା। ମୋଟାମୋଟି ଭାବେ ରାଜ୍ୟର ଆର୍ଥିକ ବ୍ୟବସ୍ଥାର ଉନ୍ନତୀକରଣ, ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାର ପ୍ରସାର, ଡିଜିଟାଲ ଦେଣନେଣ, କୃଷିଋଣ ପ୍ରଦାନରେ ସରଳୀକରଣ ନେଇ ଆଲୋଚନା ହୋଇଥିଲା। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାର ସହାୟତା ରାଶି ଇ-କୁବେର ଜରିଆରେ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯାଉଛି। ଏହି ବ୍ୟବସ୍ଥାକୁ କିପରି ଆହୁରି ସୁଦୃଢ଼ କରିହେବ, ସେନେଇ ଆଲୋଚନା ହୋଇଥିବା ଶକ୍ତିକାନ୍ତ କହିଥିଲେ। ସେହିପରି ଦେଶର ଆର୍ଥିକ ସ୍ଥିତି ନେଇ ପଦକ୍ଷେପ ନେବାକୁ ବ୍ୟାଙ୍କ୍‌ଗୁଡିକୁ ସତର୍କ କରାଯାଇଥିଲା କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ରିଜର୍ଭ ବ୍ୟାଙ୍କ୍‌ ଗଭର୍ନରଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖି ସେ କହିଥିଲେ ଯେ, କୌଣସି ଆଲର୍ଟ କରାଯାଇ ନ ଥିଲା। ନିୟମିତ ବ୍ୟବଧାନରେ ବ୍ୟାଙ୍କ୍‌ଗୁଡ଼ିକ ସହ ବୈଠକ ହୋଇଥାଏ। କିଛି ଗଣମାଧ୍ୟମରେ ଆଲର୍ଟ ସମ୍ପର୍କିତ ଯେଉଁ ଖବର ଆସିଥିଲା, ସେପରି କିଛି ନ ଥିଲା ବୋଲି ଶକ୍ତିକାନ୍ତ କହିଛନ୍ତି। କେବଳ ସାମ୍ପ୍ରତିକ ସ୍ଥିତିରେ ନୁହେଁ, ସବୁ ସମୟରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ନୂଆ ନୂଆ ଆହ୍ବାନ ଆସିଥାଏ। ତେଣୁ ବ୍ୟାଙ୍କ୍‌ ସବୁ ସମୟରେ ପ୍ରସ୍ତୁତ ରହିବା ଉଚିତ ବୋଲି ଶକ୍ତିକାନ୍ତ କହିଥିଲେ।
ଉଲ୍ଲେଖଯୋଗ୍ୟ, ଆର୍‌ବିଆଇ କେନ୍ଦ୍ରୀୟ ବୋର୍ଡର ଏକ ବୈଠକ ଶୁକ୍ରବାର ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଶେଷଥର ପାଇଁ ୨୦୧୨ରେ ଏହି ବୈଠକ ହୋଇଥିଲା। ଏଥିରେ ଯୋଗଦେବା ପାଇଁ ଶକ୍ତିକାନ୍ତ ଓଡ଼ିଶା ଗସ୍ତ କରିଥିବା ଜଣାପଡ଼ିଛି।

Share