ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ ପ୍ରତିନିଧି ଦଳ

ଭୁବନେଶ୍ୱର,୮ା୨(ବ୍ୟୁରୋ): ନୂଆଦିଲ୍ଲୀସ୍ଥିତ ନ୍ୟାଶନାଲ ଡିଫେନ୍ସ କଲେଜର ଏକ ପ୍ରତିନିଧି ଦଳ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏୟାରଚିଫ୍‌ ମାର୍ଶଲ ବି.ଭି ଉପାଧ୍ୟାୟଙ୍କ ନେତୃତ୍ୱରେ ଲୋକସେବା ଭବନରେ ଡିଫେନ୍ସ କଲେଜର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଓ ବାର୍ତ୍ତାଳାପ କରିଥିଲେ। ଏହି ପ୍ରତିନିଧି ଦଳ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି।
ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ୫-ଟି ମନ୍ତ୍ର ଏବଂ ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ବାର୍ତ୍ତାଳାପ ହୋଇଥିଲା। ଏହା ଦ୍ୱାରା ଜନସାଧାରଣଙ୍କୁ ଅଧିକ ଦୃଢ଼ଭାବେ ପ୍ରଶାସନିକ ସୁବିଧା ଯୋଗାଇ ଦିଆଯାଇ ପାରୁଛି। ତେଣୁ ଏହି ଉଦ୍ୟମକୁ ପ୍ରତିନିଧି ଦଳ ଉଚ୍ଚ ପ୍ରଶଂସା କରିଛନ୍ତି। ବିଶେଷ କରି ରାଜ୍ୟ ସରକାରଙ୍କ ଜମିଜମା ସମ୍ବନ୍ଧୀୟ ବନ୍ଦୋବସ୍ତ, ଭୂମିହୀନଙ୍କୁ ଜମି ପ୍ରଦାନ କାର୍ଯ୍ୟକ୍ରମ ସୁଦୂରପ୍ରସାରୀ ହୋଇପାରିଛି। ଏହି ପଦକ୍ଷେପକୁ ପ୍ରତିନିଧି ଦଳ ସ୍ବାଗତ କରିବା ସହ ସରକାରୀଙ୍କୁ ସାଧୁବାଦ ଜଣାଇଥିଲେ। ତୃଣମୂଳସ୍ତରରେ ବିଭିନ୍ନ ସରକାରୀ ଯୋଜନା କିପରି କାର୍ଯ୍ୟକାରୀ ହେଉଛି, ତାହା ଏହି ଦଳ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ଅନୁଧ୍ୟାନ କରିବ।
ପ୍ରତିନିଧି ଦଳରେ ୧୪ ଜଣ ବରିଷ୍ଠ ପ୍ରତିରକ୍ଷା ଏବଂ ପ୍ରଶାସନିକ ଅଧିକାରୀ ରହିଛନ୍ତି। ଏହା ମଧ୍ୟରେ ୪ ଜଣ ବିଦେଶୀ ଅଧିକାରୀ ଏବଂ ୨ ଜଣ ମହିଳା ରହିଛନ୍ତି। ଜଣେ ମହିଳା ଆଇପିଏସ୍‌ ଅଧିକାରୀ ଏବଂ ଅନ୍ୟ ଜଣେ ଆଇଆରଏସ୍‌ ଅଧିକାରୀ ଅଟନ୍ତି। ସର୍ବଭାରତୀୟସ୍ତରରେ ଷ୍ଟ୍ରାଟେଜି ଲର୍ନିଂ ପାଇଁ ଡିଫେନ୍ସ ଏକାଡେମୀ ଏକ ଉତ୍କୃଷ୍ଟ ମାଧ୍ୟମ। ଏଥିରେ ସର୍ବଭାରତୀୟ ପ୍ରଶାସନିକ ସେବା ଏବଂ ଇଣ୍ଡିଆନ୍‌ ଆର୍ମଡ ଫୋର୍ସର ଅଧିକାରୀମାନେ ଅଧ୍ୟୟନ କରିଥାଆନ୍ତି। ସେହିପରି ଭାରତର ମିତ୍ର ଦେଶ ଯଥା-ଆମେରିକା, ୟୁରୋପର କେତେକ ରାଷ୍ଟ୍ର, ଶ୍ରୀଲଙ୍କା, ନେପାଳ, ୟୁଏଇ ଏବଂ ଅନ୍ୟ କେତେକ ରାଷ୍ଟ୍ରର ପ୍ରତିନିଧି ଡିଫେନ୍ସ କଲେଜରେ ଅଧ୍ୟୟନ ସୁଯୋଗ ଲାଭ କରିଥାଆନ୍ତି।

Share