ମୁଖ୍ୟମନ୍ତ୍ରୀଙ୍କ ଅନୁଗୋଳ-ଢେଙ୍କାନାଳ ଗସ୍ତ ଆଜି: ୫ ନିର୍ବାଚନୀ ସଭାରେ ଯୋଗଦେବେ

ଅନୁଗୋଳ ଅଫିସ/ବନ୍ତଳା/ଢେଙ୍କାନାଳ ଅଫିସ, ୧୮।୪- ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁଗୋଳ ଓ ଢେଙ୍କାନାଳ ଜିଲାରେ ନିର୍ବାଚନ ପ୍ରଚାର କରିବେ। ଦୁଇ ଜିଲାର ୫ ନିର୍ବାଚନୀ ସଭାରେ ସେ ଯୋଗଦେଇ ଦଳୀୟ ଏମ୍‌ପି ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ। ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ଉଭୟ ଜିଲାର ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପୂର୍ବାହ୍ନ ୧୦ଟା ୧୫ରେ ମୁଖ୍ୟମନ୍ତ୍ରୀ ପ୍ରଥମେ ପାଲଲହଡ଼ା ନିର୍ବାଚନମଣ୍ଡଳୀରେ ପହଞ୍ଚି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ୧୦ଟା ୫୫ରେ ସେ ଢେଙ୍କାନାଳ ଜିଲା ଗସ୍ତ କରି ପରଜଙ୍ଗ ଷ୍ଟାଡିୟମରେ ସାଧାରଣ ସଭାରେ ଯୋଗଦେବେ। ପୂର୍ବାହ୍ନ ୧୧ଟା ୩୫ରେ ସେ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର ବନ୍ତଳା ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ସିଂ ଓ ଢେଙ୍କାନାଳ ଏମ୍‌ପି ପ୍ରାର୍ଥୀ ମହେଶ ସାହୁଙ୍କ ପାଇଁ ଭୋଟ ମାଗିବେ। ମଧ୍ୟାହ୍ନ ୧୨ଟା ୧୫ରେ ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀର ଓଡାପଡା ବ୍ଲକ ଗୁଡିଆକାଟେଣୀସ୍ଥିତ ଦଶଦେବୀ ପଡିଆ ଏବଂ ୧୨ଟା ୫୫ରେ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ଗଁଦିଆ ଷ୍ଟାଡିୟମଠାରେ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଲକ୍ଷ୍ୟ ରଖି ଉଭୟ ଜିଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୨ ପ୍ଲାଟୁନ ଫୋର୍ସ ସହ ୫ ଡିଏସ୍‌ପି ପାହ୍ୟାର ଅଧିକାରଙ୍କୁ ସୁରକ୍ଷା ଦାୟିତ୍ୱରେ ରଖାଯାଇଛି। ଏଥିସହ ୧୦ ଜଣ ଆଇଆଇସି ଓ ୫୦ ଏସ୍‌ଆଇ, ଏଏସ୍‌ଆଇ ମଧ୍ୟ ସୁରକ୍ଷା ଦାୟିତ୍ୱ ସମ୍ଭାଳିବେ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। ସଭାସ୍ଥଳରୁ ୧ କିମି ଦୂରରେ ଦୁଇ ଓ ଚାରି ଚକିଆ ଯାନ ରଖିବାର ବ୍ୟବସ୍ଥା ହୋଇଛି। ସଭାସ୍ଥଳକୁ ଆସୁଥିବା ସମସ୍ତ ଲୋକଙ୍କୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ। ସେହିପରି କଟକ-ସମ୍ବଲପୁର ପୁରୁଣା ପୂର୍ତ୍ତ ବିଭାଗ ରାସ୍ତାକୁ ସିଲ୍‌ କରାଯାଇଥିବାରୁ ଯାତ୍ରୀମାନେ ୫୫ ନଂ. ଜାତୀୟ ରାଜପଥ ଦେଇ ଯାତାୟାତ କରିବେ ବୋଲି ଜଣାପଡିଛି।

Share