ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ୩୦ ଊର୍ଦ୍ଧ୍ୱ ଯୁବ କଂଗ୍ରେସ କର୍ମୀ ଅଟକ

ପୁରୀ ଅଫିସ,୧୬।୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀ ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରିଛନ୍ତି ଯୁବ କଂଗ୍ରେସ। ମେଡିକାଲ ଛକରେ ମୁଖ୍ୟମନ୍ତ୍ରୀ ଗୋ ବ୍ୟାକ୍‌ ନାରା ଦେଇ ୩୦ ଉର୍ଦ୍ଧ୍ୱ ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖିଛି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ଟା ୨୫ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାହାରି ୧୧ଟା ୪୫ରେ ପୁରୀ ତାଳବଣିଆ ହେଲିପ୍ୟାଡ୍‌ରେ ପହଞ୍ଚତ୍ବେ। ସେଠାରୁ କାର୍‌ରେ ଆସି ମଧ୍ୟାହ୍ନ ୧୨ଟା ୫ରେ ଶ୍ରୀମନ୍ଦିରରେ ପହଞ୍ଚତ୍ ମହାପ୍ରଭୁଙ୍କୁ ଦର୍ଶନ କରିବେ। ସାଢେ ୧୨ଟାରେ ମ୍ୟୁନିସିପାଲିଟି ମାର୍କେଟ ପଡ଼ିଆରେ ପହଞ୍ଚତ୍ ୪ଟି ମେଗା ପ୍ରକଳ୍ପର ଶିଳାନ୍ୟାସ କରିବେ। ମଧ୍ୟାହ୍ନ ୧୨ଟା ୫୫ରେ ଭୁବନେଶ୍ୱର ଫେରିଯିବେ। ପୁରୀରେ ମୁଖ୍ୟମନ୍ତ୍ରୀଙ୍କର ମୋଟ ୧ ଘଣ୍ଟା ୧୦ ମିନିଟ୍‌ର କାର୍ଯ୍ୟକ୍ରମ ସ୍ଥିର ହୋଇଛି।
ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟସ୍ଥଳୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଶ୍ରୀକ୍ଷେତ୍ରକୁ ଦେଶର ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ ଭାବେ ଗଢିବାକୁ ଦୀର୍ଘମିଆଦୀ ରୋଡ୍‌ ମ୍ୟାପ ପ୍ରସ୍ତୁତ କରିଛନ୍ତି। ଏଥିଲାଗି ଭିତ୍ତିଭୂମିର ବିକାଶ, କ୍ଷତିଗ୍ରସ୍ତଙ୍କୁ ଥଇଥାନ, ନୂଆ ବହୁଥାକିଆ ରାସ୍ତା, ସେତୁ, ପାର୍କିଂ ଆଦିର ପରିକଳ୍ପନା କରାଯାଇଛି। ପୁରୀର ବିକାଶ ନକ୍ସାରେ ବହୁ ମେଗା ପ୍ରକଳ୍ପ ସ୍ଥାନ ପାଇଛି। ତନ୍ମଧ୍ୟରୁ ଗୁରୁବାର ୭ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ଏହି ପ୍ରକଳ୍ପଗୁଡ଼ିକ ହେଉଛି ଶ୍ରୀସେତୁ, ତୀର୍ଥଯାତ୍ରୀ କେନ୍ଦ୍ର, ବହୁତଳ କାର୍‌ ପାର୍କିଂ, ମ୍ୟୁନିସିପାଲିଟି ନୂତନ ମାର୍କେଟ କମ୍ପ୍ଲେକ୍ସ, ସ୍ବର୍ଗଦ୍ୱାରର ପୁନରୁଦ୍ଧାର, ସମୁଦ୍ରକୂଳରେ ଭେଣ୍ଡିଂଜୋନ ଏବଂ ମଧ୍ୟାହ୍ନଭୋଜନ ଓ ଆହାର ଯୋଜନାର କେନ୍ଦ୍ରୀକରଣ ରୋଷଶାଳା।